ପ୍ରକାଶ ସେଠୀଙ୍କ ନାଁରେ ୩ ଏତଲା

କଟକ ସଦର,୨୮ା୧୦(ସୁଶାନ୍ତ କୁମାର ଜେନା): କଟକ ସଦରର ପୂର୍ବତନ ବିଧାୟକ ଚନ୍ଦ୍ରସାରଥି ବେହେରା ବିଜେଡି ଛାଡ଼ି ଭାଜପାର ସଦସ୍ୟତା ଗ୍ରହଣ କରିଥିବା ନେଇ ଏକ ହ୍ବାଟ୍ସଆପ୍‌ ମେସେଜ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଥିଲା। ହେଲେ ଏହା ନକଲି ମେସେଜ୍‌ ହୋଇଥିବାରୁ ଏନେଇ କନ୍ଦରପୁର, କିଶନନଗର ଓ ୪୨ ମୌଜା ଥାନାରେ ବିଜେଡି ପକ୍ଷରୁ ରବିବାର ଏତଲା ଦିଆଯାଇଛି। ଦଳୀୟ କର୍ମକର୍ତ୍ତାମାନେ ୩ ଥାନା ଅଧିକାରୀଙ୍କୁ ଭେଟି ଏହି ମେସେଜ୍‌ କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀଙ୍କ ଇଙ୍ଗିତରେ କରାଯାଇଛି ବୋଲି ଅଭିଯୋଗ କରିଥିଲେ। କନ୍ଦରପୁର ଥାନାରେ ବିଜୁ ଯୁବ ଜନତା ଦଳର କଟକ ସଦର ବ୍ଲକ ସଭାପତି ହିମାଂଶୁ ଦାସ, ସମର ବେହେରା, ରଜନୀକାନ୍ତ ସାହୁ, ସାରଦା ପ୍ରସାଦ ସ୍ବାଇଁ, ଭିକାରି ବେହେରା, ଉମାକାନ୍ତ ଭୂୟାଁ, ପ୍ରମୋଦ ରାଉତ, କାଳନ୍ଦୀ ସ୍ବାଇଁ, ନୀତୀନ ଶେଖର ରାଉତ ପ୍ରମୁଖ ଏତଲା ଦେଇଛନ୍ତି। ସେହିପରି ୪୨ ମୌଜା ଥାନାରେ ଅଜୟ ଦଳେଇ, ବୀରବର ଲେଙ୍କା, ପ୍ରଦ୍ୟୁମ୍ନ ମହାନ୍ତି, ପଦ୍ମନାଭ ଗୋଚ୍ଛାୟତ ଏତଲା ଦେଇଛନ୍ତି। କିଶନନଗର ଥାନାରେ ଚିତ୍ତରଞ୍ଜନ ବେହେରା, ପବିତ୍ର ବିଶୋଇ, ମିଲନ ରଞ୍ଜନ ଦାସ, କମଳାକାନ୍ତ ଖୁଣ୍ଟିଆ ପ୍ରମୁଖ ଏତଲା ଦେଇଛନ୍ତି।
ଏ ସମ୍ପର୍କରେ ପୂର୍ବତନ ବିଧାୟକ ବେହେରା କହିଛନ୍ତି, ବିଜେଡି ଛାଡ଼ିବାର ପ୍ରଶ୍ନ ଉଠୁନାହିଁ। ଅପରପକ୍ଷରେ ବିଧାୟକ ସେଠୀ କହିଛନ୍ତି, ଏଭଳି ଅଭିଯୋଗ ଭିତ୍ତିହୀନ। ସେହିପରି କନ୍ଦରପୁର ଥାନା ଅଧିକାରୀ ରାଧାକାନ୍ତ ସାହୁ, ୪୨ ମୌଜା ଥାନା ଅଧିକାରୀ ଗିରିଶ ଚନ୍ଦ୍ର ମହାରଣା ଓ କିଶନ ନଗର ଥାନା ଅଧିକାରୀ ସୁମନ୍ତ କିଶାନ କହିଛନ୍ତି, ତଦନ୍ତବେଳେ ସାଇବର ଥାନାର ସହଯୋଗ ନିଆଯିବ।
Share