ଦେଶରେ କରୋନା ଦ୍ୱାରା ପୁନଃସଂକ୍ରମିତ ହୋଇଛନ୍ତି ୩ ଜଣ

ନୂଆଦିଲ୍ଲୀ, ୧୩।୧୦: ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କ୍ରମାଗତ ଭାବେ ବଢ଼ି ଚାଲିବାରେ ଲାଗିଛି। ଦେଶରେ ବର୍ତ୍ତମାନ ସୁଦ୍ଧା ୭୧ ଲକ୍ଷରୁ ଊର୍ଦ୍ଧ୍ୱ ଲୋକ କରୋନାରେ ଆକ୍ରାନ୍ତ ହୋଇସାରିଛନ୍ତି। ତେବେ ଖୁସିର ଖବର ହେଉଛି ଯେ, ସେମାନଙ୍କ ମଧ୍ୟରୁ ୬୨ ଲକ୍ଷ ଲୋକ ଆରୋଗ୍ୟ ଲାଭ କରିସାରିଛନ୍ତି। ଇତିମଧ୍ୟରେ ଇଣ୍ଡିଆନ କାଉନସିଲ୍‌ ଅଫ୍‌ ମେଡିକାଲ ରିସର୍ଚ୍ଚ (ଆଇସିଏମ୍‌ଆର୍‌)ର ମହାନିର୍ଦ୍ଦେଶକ ସୂଚନା ଦେଇଛନ୍ତି ଯେ, ଦେଶରେ ବର୍ତ୍ତମାନ ସୁଦ୍ଧା ୩ଜଣ ଲୋକ କରୋନା ଦ୍ୱାରା ପୁନଃଆକ୍ରାନ୍ତ ହୋଇଛନ୍ତି।
ମହାମାରୀ ଦ୍ୱାରା ପୁନଃସଂକ୍ରମିତ ମାମଲା ମଧ୍ୟରୁ ୨ଟି ପୁନେରେ ହୋଇଥିବାବେଳେ ଗୋଟିଏ ମାମଲା ଅହମ୍ମଦାବାଦ୍‌ରୁ ସାମ୍ନାକୁ ଆସିଛି। ସେହିଭଳି ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍‌ଓ)ର ତଥ୍ୟ ଅନୁଯାୟୀ ବର୍ତ୍ତମାନ ସୁଦ୍ଧା ସାରା ବିଶ୍ୱରେ ୨୪ ଜଣ ଲୋକ କରୋନା ଦ୍ୱାରା ଦ୍ୱିତୀୟଥର ସଂକ୍ରମିତ ହୋଇଛନ୍ତି। ତେବେ ଦ୍ୱିତୀୟଥର ସଂକ୍ରମିତ ହେବା ଘଟଣା ୧୦୦ କିମ୍ବା ୯୦ ଦିନ ପରେ ହେଉଛି ତାହା ଡବ୍ଲ୍ୟୁଏଚ୍‌ଓ ପକ୍ଷରୁ ସ୍ପଷ୍ଟ କରାଯାଇନାହିଁ। କିନ୍ତୁ ବର୍ତ୍ତମାନ ସୁଦ୍ଧା ଏହି ସମୟକୁ ୧୦୦ ଦିନ ଧରାଯାଇଛି ବୋଲି ଆଇସିଏମ୍‌ଆର୍‌ର ମହାନିର୍ଦ୍ଦେଶକ ମଙ୍ଗଳବାର ଖବରଦାତା ସମ୍ମିଳନୀ ଅବସରରେ ସୂଚନା ପ୍ରଦାନ କରିଛନ୍ତି।

Share