ଜିଉକ୍ୱାନ୍,୩୧ା୫: ଚାଇନା ଏହାର ତିଆଙ୍ଗୋଙ୍ଗ୍ ମହାକାଶ କେନ୍ଦ୍ରକୁ ମଙ୍ଗଳବାର ୩ ଜଣ ମହାକାଶଚାରୀଙ୍କୁ ପଠାଇଛି। ମହାକାଶକୁ ମାନବଙ୍କୁ ପ୍ରେରଣ କରିବାରେ ଚାଇନାର ଏହା ପ୍ରଥମ ଅଭିଯାନ ହୋଇଥିବାବେଳେ ଚଳିତ ଦଶନ୍ଧି ଶେଷ ସୁଦ୍ଧା ମଙ୍ଗଳକୁ ମଧ୍ୟ ଅନୁରୂପ ଅଭିଯାନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି।
ଦ୍ୱିତୀୟ ବୃହତ୍ ଅର୍ଥନୀତି ଚାଇନା ଆମେରିକା ଓ ରୁଷିଆ ସହ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯାଇ ନିଜ ସେନା ପରିଚାଳିତ ମହାକାଶ କାର୍ଯ୍ୟକ୍ରମରେ ଅନେକ ବିଲିୟନ୍ ଡଲାର ନିବେଶ କରିଛି। ଏହି କ୍ରମରେ ଉତ୍ତରପଶ୍ଚିମ ଚାଇନାର ଜିଉକ୍ୱାନ୍ ସାଟେଲାଇଟ୍ ଲଞ୍ଚ ସେଣ୍ଟରରୁ ପୂର୍ବାହ୍ନ ୯ଟା ୩୧ରେ ଶେଞ୍ଜହୋଉ-୧୬ ମିଶନ ଜରିଆରେ ଲଙ୍ଗ୍ ମାର୍ଚ୍ଚ ଏଫ୍-୨ ରକେଟ୍ରେ ତିଆଙ୍ଗୋଙ୍ଗ୍ ସ୍ପେସ୍ ଷ୍ଟେଶନକୁ ୩ ମହାକାଶଚାରୀଙ୍କୁ ପଠାଇଛି। ସେମାନେ ହେଲେ କମାଣ୍ଡର ଜିଙ୍ଗ୍ ହାଇପେଙ୍ଗ, ଇଞ୍ଜିନିୟର ଝୁ ୟାଙ୍ଗ୍ଝେ ଏବଂ ବେଇହାଙ୍ଗ୍ ୟୁନିଭର୍ସିଟି ପ୍ରଫେସର ଗୁଇ ହାଇଚାଓ। ପ୍ରେରଣ ସମ୍ପୂର୍ଣ୍ଣ ସଫଳ ହୋଇଛି। ମହାକାଶଚାରୀମାନେ ସୁସ୍ଥ ଅଛନ୍ତି ବୋଲି ଲଞ୍ଚ ସେଣ୍ଟର ଡାଇରେକ୍ଟର ଜୋଉ ପିପେଙ୍ଗ୍ ସୂଚନା ଦେଇଛନ୍ତି। କକ୍ଷପଥରେ ମାନବଙ୍କୁ ଅବସ୍ଥାପିତ କରିବାରେ ଚାଇନା ହେଉଛି ତୃତୀୟ ଦେଶ। ୨୦୩୦ ସୁଦ୍ଧା ମଙ୍ଗଳରେ ଏକ ମୁନ୍ ବେସ୍ ନିର୍ମାଣ କରିବା ନେଇ ରାଷ୍ଟ୍ରପତି ଶି ଜିନ୍ପିଙ୍ଗ୍ଙ୍କ ସ୍ବପ୍ନ ‘ସ୍ପେସ୍ ଡ୍ରିମ୍’କୁ ସଫଳ କରିବାରେ ଏହା ବିଶେଷ ସହାୟକ ହେବ ବୋଲି କୁହାଯାଉଛି।