ୟୁକ୍ରେନ ଯୁଦ୍ଧରେ ମଧ୍ୟସ୍ଥି ହୋଇପାରନ୍ତି ୩ ଦେଶ, ଶାନ୍ତି ବାର୍ତ୍ତାକୁ ନେଇ ପୁଟିନଙ୍କ ବଡ ଘୋଷଣା

ମସ୍କୋ,୫।୯: ରୁଷିଆ-ୟୁକ୍ରେନ ଯୁଦ୍ଧକୁ ଶେଷ କରିବା ପାଇଁ ଭାରତ ଖୁବ ଚେଷ୍ଟା ଚଳାଇଛି। ପରସ୍ପର ମଧ୍ୟରେ ବାର୍ତ୍ତାଳାପ ମାଧ୍ୟମରେ ଏହି ଯୁଦ୍ଧ ଶେଷ ହେଉ ବୋଲି ଭାରତ ଚାହୁଁଛି। ଏଥିପାଇଁ ଭାରତ ଉଭୟ ରୁଷିଆ ଏବଂ ୟୁକ୍ରେନ ସହ କଥା ହୋଇଛି। ବର୍ତ୍ତମାନ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ନିଜେ ସ୍ବୀକାର କରିଛନ୍ତି ଯେ ୟୁକ୍ରେନ ଯୁଦ୍ଧକୁ ଭାରତ ବନ୍ଦ କରିପାରିବ। ତେବେ ପୁଟିନ ଭାରତ ସହିତ ତାଙ୍କ ଶତ୍ରୁ ଚାଇନାକୁ ମଧ୍ୟ ଶ୍ରେୟ ଦେଇଛନ୍ତି। ପୁଟିନ କହିଛନ୍ତି ଯେ କେବଳ ଭାରତ, ଚାଇନା ଏବଂ ବ୍ରାଜିଲ ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ମଧ୍ୟସ୍ଥି ଭାବରେ କାର୍ଯ୍ୟ କରିପାରିବେ। ସୂଚନାଯୋଗ୍ୟ, ଦୁଇ ବର୍ଷରୁ ଅଧିକ ସମୟ ଧରି ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଚାଲିଛି।
ସୂଚନାଯୋଗ୍ୟ, ରାଷ୍ଟ୍ରପତି ପୁଟିନ ଗୁରୁବାର କହିଛନ୍ତି ଯେ ୟୁକ୍ରେନ ଉପରେ ସମ୍ଭାବ୍ୟ ଶାନ୍ତି ଆଲୋଚନାରେ ଚାଇନା, ଭାରତ ଏବଂ ବ୍ରାଜିଲ ମଧ୍ୟସ୍ଥି ଭୂମିକା ଗ୍ରହଣ କରିପାରିବେ। ରଏଟର୍ସ ଅନୁଯାୟୀ ପୁଟିନ କହିଛନ୍ତି ଯେ ଯୁଦ୍ଧର ପ୍ରଥମ ସପ୍ତାହରେ ଇସ୍ତାନବୁଲରେ ହୋଇଥିବା ଆଲୋଚନାରେ ରୁଷିଆ ଏବଂ ୟୁକ୍ରେନ ବୁଝାଣାକାରୀଙ୍କ ମଧ୍ୟରେ ପ୍ରାଥମିକ ଚୁକ୍ତି ହୋଇଛି, ଯାହା କେବେ କାର୍ଯ୍ୟକାରୀ ହୋଇ ନଥିଲା। ଏହା ବୁଝାମଣା ପାଇଁ ଆଧାର ହୋଇପାରେ।

ପୁଟିନଙ୍କ ଏହି ବିବୃତ୍ତି ପ୍ରଧାନମନ୍ତ୍ରୀ ମୋଦିଙ୍କ ରୁଷିଆ ଏବଂ ୟୁକ୍ରେନ ଗସ୍ତ ପରେ ଆସିଛି। ବର୍ତ୍ତମାନ ପର୍ଯ୍ୟନ୍ତ ୟୁକ୍ରେନ ସହ ଆଲୋଚନାରେ ପୁଟିନ ଖୋଲାଖୋଲି ଭାବେ କିଛି କହି ନାହାଁନ୍ତି। କିନ୍ତୁ ପ୍ରଥମ ଥର ପାଇଁ ୟୁକ୍ରେନ ସହ କଥାବାର୍ତ୍ତା କରିବାକୁ ପ୍ରସ୍ତୁତ ବୋଲି ପୁଟିନ କହିଛନ୍ତି। ସେ ସୂଚାଇ ଦେଇଛନ୍ତି ଯେ ରୁଷିଆ କେବଳ ଭାରତ, ଚାଇନା ଏବଂ ବ୍ରାଜିଲର ମଧ୍ୟସ୍ଥତାକୁ ଗ୍ରହଣ କରିବ।
ସୂଚନାଯୋଗ୍ୟ, ଚଳିତ ବର୍ଷ ଜୁଲାଇରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରୁଷିଆ ଯାଇ ରାଷ୍ଟ୍ରପତି ପୁଟିନଙ୍କୁ ଭେଟିଥିଲେ। ୟୁକ୍ରେନ ସହିତ ବିବାଦ ଆରମ୍ଭ ହେବାର ଅଢେଇ ବର୍ଷ ପରେ ଏହି ଗସ୍ତ ହୋଇଥିଲା। ଉଭୟ ନେତା ଯୁଦ୍ଧ ସମେତ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ।

Share