Categories: ଜାତୀୟ

ପିଲାଙ୍କ ପାଇଁ ୩ କୋଭିଡ୍‌ ଟିକାକୁ ମଞ୍ଜୁରୀ

ନୂଆଦିଲ୍ଲୀ,୨୭ା୪: ଭାରତର ଔଷଧ ନିୟନ୍ତ୍ରକ ଡିସିଜିଆଇ ପିଲାମାନଙ୍କ ଲାଗି ୩ଟି କୋଭିଡ୍‌-୧୯ ଟିକାକୁ ଜରୁରୀ ବ୍ୟବହାର ଲାଗି ମଙ୍ଗଳବାର ମଞ୍ଜୁରୀ ପ୍ରଦାନ କରିଛନ୍ତି। ବାୟୋଲୋଜିକାଲ-ଇ ପ୍ରସ୍ତୁତ କୋର୍ବେଭାକ୍ସକୁ ୫ରୁ ୧୨ ବର୍ଷ ବୟସ ବର୍ଗର ପିଲାଙ୍କୁ ଦେବା ଲାଗି ଅନୁମତି ମିଳିଥିବାବେଳେ ଭାରତ ବାୟୋଟେକ୍‌ ପ୍ରସ୍ତୁତ କୋଭାକ୍ସିନ୍‌କୁ ୬ରୁ ୧୨ ବର୍ଷ ବୟସର ପିଲାଙ୍କୁ ଦିଆଯାଇପାରିବ। ଏହା ବ୍ୟତୀତ ୧୨ରୁ ଊର୍ଦ୍ଧ୍ୱ ପିଲାଙ୍କ ନିମନ୍ତେ ଜାଇଡସ୍‌ କାଡିଲା କମ୍ପାନୀ ପ୍ରସ୍ତୁତ ଜାଇକୋଭ୍‌-ଡି ଟିକାକୁ ମଧ୍ୟ ଜରୁରୀ ବ୍ୟବହାର ନିମନ୍ତେ ଅନୁମତି ପ୍ରଦାନ କରାଯାଇଛି।
କେନ୍ଦ୍ରୀୟ ଔଷଧ ମାନ ନିୟନ୍ତ୍ରଣ ସଂଗଠନ (ସିଡିଏସ୍‌ସିଓ)ର ବିଶେଷଜ୍ଞ କମିଟିଙ୍କ ସୁପାରିସ କ୍ରମେ ଭାରତର ଔଷଧ ମହାନିୟନ୍ତ୍ରକ (ଡିସିଜିଆଇ) ୩ ଟିକାକୁ ଅନୁମୋଦନ କରିଛନ୍ତି। ବିଶେଷଜ୍ଞ କମିଟି ଗତ ସପ୍ତାହରେ କମ୍ପାନୀଗୁଡ଼ିକର ଆବେଦନକୁ ସମୀକ୍ଷା କରିବା ପରେ ମଞ୍ଜୁରୀ ନିମନ୍ତେ ସୁପାରିସ କରିଥିଲା। ଜାଇକୋଭ-ଡି ବିଶ୍ୱରେ ମାନବ ବ୍ୟବହାର ନିମନ୍ତେ ପ୍ରସ୍ତୁତ ପ୍ରଥମ ଡିଏନ୍‌ଏ ପ୍ଲାସ୍‌ମିଡ୍‌ ଭାକ୍ସିନ। ଉକ୍ତ ଟିକା ସିରିଞ୍ଜ ବଦଳରେ ଫାର୍ମାଜେଟରେ ଦିଆଯିବ, ଯେଉଁଥିରେ ଛୁଞ୍ଚତ୍ର ବ୍ୟବହାର ହେବ ନାହିଁ। ବର୍ତ୍ତମାନ କୋର୍ବେଭାକ୍ସ ଟିକା ୧୨ରୁ ୧୪ ବର୍ଷର ପିଲାଙ୍କୁ ଦିଆଯାଉଛି। ଗତ ମାର୍ଚ୍ଚ ୧୬ରୁ ଏହି ବୟସବର୍ଗର ପିଲାଙ୍କୁ ଟିକାକରଣ ଆରମ୍ଭ ହୋଇଛି। ସେହିପରି କୋଭାକ୍ସିନ୍‌ ୧୨ରୁ ୧୮ ବର୍ଷର ପିଲାଙ୍କୁ ପ୍ରଦାନ ଲାଗି ଗତବର୍ଷ ଡିସେମ୍ବର ୨୪ରେ ମଞ୍ଜୁରୀ ପାଇଥିଲା।

Share