Categories: ଖେଳ

ଆଇସିସି ହଲ ଅଫ ଫେମ୍‌ରେ ସେହ୍ବାଗଙ୍କ ସମେତ ୩ କ୍ରିକେଟର…

ନୂଆଦିଲ୍ଲୀ,୧୩।୧୧ : ଭାରତୀୟ କ୍ରିକେଟ ଦଳର ପୂର୍ବତନ ଖେଳାଳି ବିରେନ୍ଦର ସେହ୍ବାଗଙ୍କ ସମେତ ତିନିଜଣ ପୂର୍ବତନ କ୍ରିକେଟର ଆଇସିସି ହଲ ଅଫ ଫେମରେ ସ୍ଥାନ ପାଇଛନ୍ତି। ସେହ୍ବାଗଙ୍କ ବ୍ୟତୀତ ଦେଶର ପୂର୍ବତନ ମହିଳା କ୍ରିକେଟର ଡାଏନା ଏଡୁଲଜୀ ମଧ୍ୟ ଏହି ବିଶେଷ ତାଲିକାରେ ସ୍ଥାନ ପାଇଛନ୍ତି। ଏହି ଦୁଇ ଖେଳାଳିଙ୍କ ସହିତ ଶ୍ରୀଲଙ୍କାର ପୂର୍ବତନ ଅଧିନାୟକ ଅରବିନ୍ଦ ଡି ସିଲଭାଙ୍କୁ ମଧ୍ୟ ଏକ ବିଶେଷ ସମ୍ମାନରେ ସମ୍ମାନିତ କରାଯାଇଛି।

ଏହା ପ୍ରଥମ ଘଟଣା ନୁହେଁ ଯେ ଭାରତୀୟ ଖେଳାଳିଙ୍କୁ ଏକ ସ୍ବତନ୍ତ୍ର ଆଇସିସି ସମ୍ମାନରେ ସମ୍ମାନିତ କରାଯାଇଛି। ସେହ୍ବାଗ ଏବଂ ଏଡୁଲଜୀଙ୍କ ପୂର୍ବରୁ କ୍ରୀଡ଼ା ଜଗତରେ ‘ଗଡ ଅଫ କ୍ରିକେଟ’ ଭାବରେ ଜଣାଶୁଣା ସଚିନ ତେନ୍ଦୁଲକର ଏବଂ ଭାରତୀୟ ଦଳର ବର୍ତ୍ତମାନର ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡଙ୍କୁ ମଧ୍ୟ ଏହି ବିଶେଷ ସମ୍ମାନ ପ୍ରଦାନ କରାଯାଇଛି।

ଆଇସିସି ନିୟମ ଅନୁଯାୟୀ, ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଗ୍ରହଣ କରିବାର ପ୍ରାୟ ସାତ ବର୍ଷ ପରେ କୌଣସି ଖେଳାଳି ଏହି ସମ୍ମାନ ପାଆନ୍ତି। ଏହି କାରଣରୁ ସେହ୍ବାଗଙ୍କୁ ଏହି ସମ୍ମାନ ପାଇବା ପାଇଁ ଦୀର୍ଘ ସମୟ ଅପେକ୍ଷା କରିବାକୁ ପଡିଥିଲା।

ଆଇସିସି ହଲ ଅଫ ଫେମରେ ସମ୍ମାନିତ ହୋଇଥିବା ଡାଏନା ଏଡୁଲଜୀ ଦେଶର ପ୍ରଥମ ମହିଳା କ୍ରିକେଟର ହୋଇଛନ୍ତି। ୨୦୨୩ ପୂର୍ବରୁ ସାତଜଣ ଭାରତୀୟ ଖେଳାଳି ଏହି ବିଶେଷ ସମ୍ମାନ ପାଇଥିଲେ। ବର୍ତ୍ତମାନ ସେହ୍ବାଗ ଏବଂ ଏଡୁଲଜୀଙ୍କ ନାମ ମଧ୍ୟ ଏହି ତାଲିକାରେ ଯୋଡି ହୋଇଛି। ସେହ୍ବାଗ ଅଷ୍ଟମ ଏବଂ ଏଡୁଲଜୀ ହେଉଛନ୍ତି ନବମ ଭାରତୀୟ ଖେଳାଳି ଯିଏକି ଆଇସିସି ହଲ ଅଫ ଫେମ ସମ୍ମାନ ପାଇଛନ୍ତି।

 

Share