ପାଟଣା,୬।୪(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ରାଜନଗର ପଞ୍ଚାୟତର ମଝି ସାହିରେ କେନ୍ଦୁଝର ଗ୍ରାମ ଉନ୍ନୟନ ବିଭାଗ ପକ୍ଷରୁ ନିର୍ମିତ ୬.୮୪୦ କିମି କଂକ୍ରିଟ ରାସ୍ତା ଫାଟି ଫାଳ ଫାଳ ହୋଇ ଯାଇଥିବା ଦେଖିବାକୁ ମିଳିଛି।
ସୂଚନା ଯୋଗ୍ୟ, ଉକ୍ତ କଂକ୍ରିଟ ରାସ୍ତାଟି ୩ କୋଟି ଟଙ୍କା ବ୍ୟୟରେ ୬ ମାସ ତଳେ ନିର୍ମାଣ କରାଯାଇଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି। ହେଲେ ନିମ୍ନମାନର କାର୍ଯ୍ୟ ଯୋଗୁ ଏହି କଂକ୍ରିଟ ରାସ୍ତା ଫାଟି ଫାଳଫାଳ ହୋଇ ଯାଇଛି। ଏହାର ତୁରନ୍ତ ପୁନଃନିର୍ମାଣ ସହ ଠିକାଦାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଗ୍ରାମର ମହିଳାମାନେ ଦାବି କରିଛନ୍ତି। ଏନେଇ ଗ୍ରାମ ଉନ୍ନୟନ ବିଭାଗ ତୁରୁମୁଙ୍ଗା ଯନ୍ତ୍ରୀ ଦେବ୍ରତ ମହାନ୍ତିଙ୍କୁ ପଚାରିବାରୁ ସେ କହିଛନ୍ତି, ୬ ମାସ ତଳେ ଉକ୍ତ କାର୍ଯ୍ୟଟି ବିଭାଗ ତରଫରୁ ଏଜେନ୍ସି ମାଧ୍ୟମରେ ସମ୍ପନ୍ନ ହୋଇଥିଲା। ରାସ୍ତା ଫାଟିବାର ସଠିକ୍ କାରଣ ଜଣାପଡିନାହିଁ। ଗୁରୁବାର ଏସଡିଓଙ୍କ ନେତୃତ୍ୱରେ ଏକ ଉଚ୍ଚ ସ୍ତରୀୟ କମିଟି ଗାଁକୁ ଯାଇ ଏହାର ତଦନ୍ତ କରିବା ପରେ ରାସ୍ତା ଫାଟିବାର କାରଣ ସ୍ପଷ୍ଟ ହେବ।