ଓଟିଡିସି ନାଁରେ ଠିକାଦାରଙ୍କଠାରୁ ୩ କୋଟି ଠକେଇ

ଭୁବନେଶ୍ୱର,୨୩।୮(ବ୍ୟୁରୋ): ଓଡ଼ିଶା ଟୁରିଜମ୍‌ ଡେଭଲପ୍‌ମେଣ୍ଟ କର୍ପୋରେଶନ (ଓଟିଡିସି) ନାଁରେ ସ୍ପେଶାଲ କ୍ଲାସ କଣ୍ଟ୍ରାକ୍ଟର କଣ୍ଟ୍ରାକ୍ଟର ଧନୁର୍ଦ୍ଧର ଚମ୍ପତ୍ତିରାୟଙ୍କୁ ଜାଲ୍‌ ୱାର୍କ ଅର୍ଡର ଦେଇ ୩ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଠକେଇ ଅଭିଯୋଗରେ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ରବିବାର ୨ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ କଟକ ସିଡିଏରେ ରହୁଥିବା ଆତ୍ମଘୋଷିତ ବାବା ବିଜୟାନନ୍ଦ ଚୌଧୁରୀ ତଥା ସ୍ବାମୀ ବିଜୟାନନ୍ଦ ମହାରାଜ ଓ ନୟାପଲ୍ଲୀ ଥାନା ଅଞ୍ଚଳର ଓଟିଡିସିର ପୂର୍ବତନ ଇଞ୍ଜିନିୟର ଚନ୍ଦନ ଆକାଶ ମହାନ୍ତି। ଜାମିନ ନାମଞ୍ଜୁର ହେବାରୁ ଉଭୟଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।
ଗତବର୍ଷ କରୋନା ମହାମାରୀ ସମୟରେ କାମଧନ୍ଦା ବନ୍ଦ ହୋଇଯିବାରୁ ଧନୁର୍ଦ୍ଧର ହାତବାନ୍ଧି ବସିଥିଲେ। ମେ’ ମାସରେ ଜଣେ ସମ୍ପର୍କୀୟ ତାଙ୍କୁ ବାବା ବିଜୟାନନ୍ଦଙ୍କ ସହିତ ପରିଚୟ କରାଇଥିଲେ। ବିଜୟାନନ୍ଦ ନିଜକୁ ଓଟିଡିସିର ଚେୟାରମ୍ୟାନ ଓ ଆଇଟିଡିସିର ସଦସ୍ୟ କହିବା ସହ ବଡ଼ ବଡ଼ କାମ ଯୋଗାଇ ଦେବାର ଲୋଭ ଦେଖାଇଥିଲେ। ପରେ ଚନ୍ଦନଙ୍କ ସହ ଭେଟ କରାଇ ବିଶ୍ୱାସ ଜନ୍ମାଇଥିଲେ। ଚନ୍ଦନ ନିଜକୁ ଓଟିଡିସିରେ ଆସିଷ୍ଟାଣ୍ଟ ଇଞ୍ଜିନିୟର ଥିବା କହିଥିଲେ। ବିଜୟାନନ୍ଦ ଓ ଚନ୍ଦନ କଣ୍ଟ୍ରାକ୍ଟର ଧନୁର୍ଦ୍ଧରଙ୍କ ସହ କାମ ସଂକ୍ରାନ୍ତରେ ଆଲୋଚନା କରିଥିଲେ। ପରେ ସେମାନେ ଓଟିଡିସି ନାଁରେ ବହୁ କୋଟି ଟଙ୍କାର ୱାର୍କ ଅର୍ଡର ଦେଇ ତାଙ୍କଠାରୁ ୩ କୋଟି ଟଙ୍କା ନେଇଥିଲେ। ୱାର୍କ ଅର୍ଡର ପାଇଥିଲେ ବି ଧନୁର୍ଦ୍ଧର କୌଣସି କାମ ଆରମ୍ଭ କରିପାରି ନ ଥିଲେ। ଏନେଇ ସେ ଅଭିଯୁକ୍ତ ଦ୍ୱୟଙ୍କୁ କହିବାରୁ ମହାମାରୀ ପାଇଁ କାମ ଅଟକିଛି ବୋଲି ସେମାନେ ସଫେଇ ଦେଇଥିଲେ।ଶେଷରେ ଧନୁର୍ଦ୍ଧର ଓଟିଡିସି କାର୍ଯ୍ୟାଳୟକୁ ଯାଇ ବୁଝାଶୁଝା କରିବା ପରେ ସେପରି କାର୍ଯ୍ୟ କିଛି ନ ଥିବା ଓ କାହାକୁ ଓ୍ବାର୍କ ଅର୍ଡର ଦିଆଯାଇ ନ ଥିବା ଜାଣିବାକୁ ପାଇଥିଲେ। ସେ ଠକେଇର ଶିକାର ହୋଇଥିବା ସ୍ପଷ୍ଟ ହେବା ପରେ ଓଟିଡିସିର ଉଚ୍ଚ ପଦସ୍ଥ ଅଧିକାରୀଙ୍କୁ ଅବଗତ କରାଇଥିଲେ। ଏନେଇ ଓଟିଡିସି ପକ୍ଷରୁ ଅଭିଯୋଗ ହେବାପରେ ଇଓଡବ୍ଲ୍ୟ ମାମଲା (ନଂ-୧୦/୨୧) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।

Share