Categories: ଜାତୀୟ

ଦେଶରେ ୩ କୋଟି ଅନାଥ, ବର୍ଷରେ ୪୦୦୦ ହେଉଛନ୍ତି ପୋଷ୍ୟ…

ନୂଆଦିଲ୍ଲୀ, ୧୨।୪ : ଦେଶରେ ପୋଷ୍ୟ ଗ୍ରହଣ ଆଇନକୁ ସରଳ କରିବା ଲାଗି ସୁପ୍ରିମ୍‌କୋର୍ଟରେ ଦାଖଲ ହୋଇଥିବା ଏକ ଆବେଦନ ନେଇ ନୋଟିସ୍‌ ଜାରି କରାଯାଇଛି। ବିଚାରପତି ଡି.ଓ୍ବାଇ. ଚନ୍ଦ୍ରଚୂଡ଼ ଏବଂ ସୂର୍ଯ୍ୟକାନ୍ତଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠରେ ଏହାକୁ ସୂଚୀବଦ୍ଧ କରାଯାଇଛି।

ଏହି ଆବେଦନ ଚାରିଟେବୁଲ୍‌ ଟ୍ରଷ୍ଟ୍‌ ଦ ଟେମ୍ପଲ୍‌ ଅଫ୍‌ ହିଲିଂ ପକ୍ଷରୁ ଦାଖଲ କରାଯାଇଛି। ଶୁଣାଣି ସମୟରେ ଆବେଦନକାରୀ ଡ. ପୀୟୂଷ ସାକ୍ସସେନା କହିଛନ୍ତି ଯେ, ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରଣାଳୟ ସମ୍ମୁଖରେ ସେ ପୋଷ୍ୟ ଗ୍ରହଣ ଆଇନରେ କୋହଳ ପାଇଁ ଆବେଦନ କରିଥିଲେ। ତେବେ ଏହା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ।

ସମ୍ପ୍ରତି ଦେଶରେ ୩ କୋଟିରୁ ଅଧିକ ଅନାଥ ରହିଥିବାବେଳେ ପ୍ରତିବର୍ଷ ମାତ୍ର ୪୦୦୦ଙ୍କୁ ପୋଷ୍ୟ ଭାବେ ଗ୍ରହଣ କରାଯାଇ ପାରୁଛି। ପୋଷ୍ୟ ଗ୍ରହଣ ଆଇନ ଜଟିଳ ଥିବାରୁ ବହୁ ଅନାଥଙ୍କୁ ପୋଷ୍ୟ ଗ୍ରହଣ କରାଯାଇ ପାରୁ ନାହିଁ ବୋଲି ସେ କହିଛନ୍ତି। ଏନେଇ ୧୬ ବର୍ଷ ତଳେ ଜାରି ହୋଇଥିବା ଆୟକର ଆଇନକୁ ପୁଣି ଆରମ୍ଭ କରିବାକୁ ସେ ଆବେଦନରେ ଉଲ୍ଲେଖ କରିଛନ୍ତି।

Share