Categories: ଜାତୀୟ

‘୩ କୋଟି ଲୋକଙ୍କୁ ମିଳିବ ମାଗଣା ଟିକା’

ନୂଆଦିଲ୍ଲୀ୧୧।୧: ଆସନ୍ତା ୧୬ ତାରିଖରୁ ସମଗ୍ର ଦେଶରେ ଆମ୍ଭର ହେବ କରୋନା ଟିକାକରଣ। ପ୍ରଥମ ପର୍ଯ୍ୟାୟରେ ୩ କୋଟି ଲୋକଙ୍କୁ ମାଗଣାରେ ମିଳିବ କରୋନା ଟିକା। କେନ୍ଦ୍ର ସରକାର ପ୍ରଥମେ ସରକାରୀ ଓ ବେସରକାରୀ ହସ୍ପିଟାଲରେ କାମ କରୁଥିବା ସ୍ବାସ୍ଥ୍ୟକର୍ମୀ ଏବଂ କରୋନାର ସମ୍ମୁଖ ଯୋଦ୍ଧା ଯଥା ପୋଲିସ, ସୁରକ୍ଷାକର୍ମୀ ଓ ପରିମଳ ବ୍ୟବସ୍ଥାରେ ଜଡିତ ୩ କୋଟି ଲୋକଙ୍କୁ ଟିକାକରଣ କରିବେ। ସୋମବାର ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଛନ୍ତି। କରୋନା ଟିକାକରଣ ସମ୍ପର୍କରେ ପ୍ରଧାନମନ୍ତ୍ରୀ ମୋଦି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ। ସେ କହିଛନ୍ତି, ପ୍ରଥମ ପର୍ଯ୍ୟାୟରେ ୩ କୋଟି ସ୍ବାସ୍ଥ୍ୟକର୍ମୀ ଓ ସମ୍ମୁଖ ଯୋଦ୍ଧାକୁ ଟିକା ଦିଆଯିବ। ଏହି ଟିକାକରଣ ପାଇଁ ରାଜ୍ୟ ସରକାରମାନଙ୍କୁ କୌଣସି ଅର୍ଥ ଖର୍ଚ୍ଚ କରିବାକୁ ପଡିବ ନାହିଁ । ଭାରତ ସରକାର ପ୍ରଥମ ପର୍ଯ୍ୟାୟରେ ଟିକା ନେବାକୁ ଥିବା ଲୋକଙ୍କ ପାଇଁ ସବୁ ଅର୍ଥ ବହନ କରିବେ। ଆଗାମୀ କିଛି ମାସ ମଧ୍ୟରେ ୩୦ କୋଟି ଲୋକଙ୍କୁ ଟିକା ଦେବାକୁ ବ୍ୟବସ୍ଥା ହୋଇଛି । ପ୍ରଥମ ପର୍ଯ୍ୟାୟରେ କୌଣସି ଜନପ୍ରତିନିଧି ରହିବେ ନାହିଁ। ୫୦ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି ଓ ବହୁବିଧ ରୋଗରେ ଆକ୍ରାନ୍ତ ଥିବା ଲୋକଙ୍କୁ ଟିକା ଦିଆଯିବ। ସୂଚନାଯୋଗ୍ୟ, ଭାରତରେ କୋଭିସିଲ୍ଡ ଓ କୋଭାକ୍ସିନକୁ ଜରୁରୀ କାଳୀନ ବ୍ୟବହାର ପାଇଁ ଅନୁମତି ମିଳିଛି। ଏହା ଉପରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ବିଦେଶରେ ମିଳୁଥିବା କରୋନା ଟିକା ଅପେକ୍ଷା ଭାରତରେ ଜରୁରୀ କାଳୀନ ବ୍ୟବହାର ପାଇଁ ଅନୁମତି ପାଇଥିବା ଟିକା ବେଶ ପ୍ରଭାବୀ।

Share