Categories: ବାଣିଜ୍ୟ

ଅକ୍ଟୋବର ୧୭ରୁ ୩ ଦିନିଆ ଜିଏମ୍‌ଆଇଏସ୍‌

ଭୁବନେଶ୍ୱର,୬।୯: ଚଳିତ ବର୍ଷ ଅକ୍ଟୋବର ୧୭ରୁ ଏକ ୩ ଦିନିଆ ଗ୍ଲୋବାଲ ମାରିଟାଇମ୍‌ ଇଣ୍ଡିଆ ସମିଟ୍‌ (ଜିଏମ୍‌ଆଇଏସ୍‌)-୨୦୨୩ ନୂଆଦିଲ୍ଲୀର ଆଇଟିପିଓ ଭାରତ ମଣ୍ଡପମ୍‌ଠାରେ ଆୟୋଜିତ ହେବ। ଏପରିକି ଜିଏମ୍‌ଆଇଏସ୍‌ର ୩ୟ ସଂସ୍କରଣ ଅକ୍ଟୋବର ୧୭ରୁ ୧୯ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଯାଉଛି। ଏହା ପୂର୍ବରୁ ପାରାଦୀପ ପୋର୍ଟ ପକ୍ଷରୁ ଭୁବନେଶ୍ୱରରେ ଏକ ରୋଡ୍‌ଶୋ’ର ଆୟୋଜନ କରାଯାଇଥିଲା। ବନ୍ଦର, ନୌପରିବହନ ଓ ଜଳପଥ ଏବଂ ଆୟୁଷ ମନ୍ତ୍ରୀ ସର୍ବାନନ୍ଦ ସୋନଓ୍ବାଲ ଭିସି ଜରିଆରେ ଯୋଗଦେଇ ଏହାର ଶୁଭାରମ୍ଭ କରିବା ସହ ଭାରତ ନୌବାଣିଜ୍ୟ କ୍ଷେତ୍ରରେ ଏକ ନୂତନ ଯୁଗର ଅଗ୍ରଭାଗରେ ରହିଛି ଏବଂ ଦେଶ ଏକ ଅନୁକୂଳ ବ୍ୟବସାୟ ପରିବେଶ ପାଇଁ ବୈଷୟିକ ଅଗ୍ରଗତି ଓ ଭିତ୍ତିଭୂମି ଉନ୍ନତୀକରଣ ମାଧ୍ୟମରେ ପ୍ରଗତିର ଏକ ଯାତ୍ରା ଆରମ୍ଭ କରିଛି ବୋଲି ବିସ୍ତୃତ ଭାବେ ମତପ୍ରକାଶ କରିଛନ୍ତି। ବନ୍ଦର, ନୌପରିବହନ ଓ ଜଳପଥ ମନ୍ତ୍ରୀ ଶାନ୍ତନୁ ଠାକୁର କହିଛନ୍ତି, ଦେଶର ସାମଗ୍ରିକ ନୌବାଣିଜ୍ୟ ଆକାଂକ୍ଷାଗୁଡିକୁ ପ୍ରତିଫଳନ କରିବା ସହିତ ୨୦୩୦ ର ଉଚ୍ଚାଭିଳାଷୀ ଲକ୍ଷ୍ୟ ପାଇଁ ପ୍ରସ୍ତୁତ ରହିଛି। ବନ୍ଦର, ନୌପରିବହନ ଓ ଜଳପଥ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଭୂଷଣ କୁମାର କହିଛନ୍ତି, ଆମେ ସ୍ବୟଂଚାଳିତ ବନ୍ଦର ଓ ଟର୍ମିନାଲଗୁଡିକୁ ଘରୋଇ କ୍ଷେତ୍ର ସହିତ ସହଭାଗିତା ଜରିଆରେ ଆମର ବନ୍ଦରଗୁଡିକର ଦକ୍ଷତା ବୃଦ୍ଧି କରିବା ପାଇଁ ପ୍ରୟାସ କରୁଛୁ। ଅପରପକ୍ଷରେ ରୋଡ ଶୋ’ର ୨ପର୍ଯ୍ୟାୟରେ ଏକ ଖବରଦାତା ସମ୍ମିଳନୀକୁ ସମ୍ବୋଦିତ କରି ପାରାଦୀପ ପୋର୍ଟ ଅଥରଟି (ପିପିଏ)ର ଅଧ୍ୟକ୍ଷ ପିଏଲ୍‌ ହାରାନ୍ଧ ଜିଏମ୍‌ଆଇଏସ୍‌-୨୦୨୩ର ଆଭିମୁଖ୍ୟ ଓ ପାରାଦୀପ ବନ୍ଦରର ଭୂମିକା ବିଷୟରେ ବିସ୍ତୃତ ଆଲୋଚନା ସହ ପାରାଦୀନ ବନ୍ଦର କାର୍ଯ୍ୟ କଳାପ ଓ ଆଗାମୀ ଦିନର ବିକାଶ ଓ ପଦକ୍ଷେପ ଆଦି ବିଷୟରେ ବିସ୍ତୃତ ସୂଚନା ପ୍ରଦାନ କରିଛନ୍ତି। ଉକ୍ତ ସମ୍ମିଳନୀରେ ବନ୍ଦର, ନୌପରିବହନ ଓ ଜଳପଥ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଭୂଷଣ କୁମାର, ପିପିଏର ଉପାଧ୍ୟକ୍ଷ ନୀଳାଭ୍ର ଦାସଗୁପ୍ତା ଏବଂ ସମ୍ପାଦକ ଡ. ପି.ଏନ୍‌.ବାହେକର ପ୍ରମୁଖ ଉପସ୍ଥିତ ଥିଲେ। ରୋଡ୍‌ ଶୋ’ର ପ୍ରାରମ୍ଭିକ ସଭାରେ ଶିଳ୍ପ ସଚିବ ହେମନ୍ତ ଶର୍ମା, ବାଣିଜ୍ୟ ଓ ପରିବହନ ସଚିବ ଉଷା ପାଢ଼ୀଙ୍କ ସମେତ ଗୋପାଳପୁର ପୋର୍ଟର ସିିଇଓ ଭି.ଜନାର୍ଦ୍ଦନ ରାଓ ଏବଂ ଧାମରା ପୋର୍ଟର ସିଓଓ ସଞ୍ଜୀବ କୁମାର ଗୁପ୍ତା ପ୍ରମୁଖ ଉପସ୍ଥିତ ଥିଲେ।

Share