୩ଦିନ ହିଟ୍‌ ଓ୍ବେଭ୍‌, ୨୪ରୁ ବର୍ଷା

ଭୁବନେଶ୍ୱର, ୨୧।୫(ଅସମାପିକା ସାହୁ):ଅସହ୍ୟ ତାତି ଓ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ହୋଇପଡୁଛି ରାଜ୍ୟର ଜନଜୀବନ। ତାପମାତ୍ରା ପୁଣି ୪୨ ଡିଗ୍ରୀ ଡେଇଁଥିବାବେଳେ ଆସନ୍ତା ୩ଦିନ ହେବାକୁ ଥିବା ହିଟ୍‌ ଓ୍ବେଭ୍‌କୁ ନେଇ ଚିନ୍ତା ବଢ଼ିଛି। ଏପରିସ୍ଥିତିରେ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଆସନ୍ତା ୨୨ ତାରିଖରେ ଏକ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ଥିବାରୁ ତାତିରୁ ଆଶ୍ୱସ୍ତି ମିଳିବା ନେଇ ଆଶା କରାଯାଉଛି। ତେବେ ଲଘୁଚାପ ସୃଷ୍ଟି ହେବା ପରେ ପ୍ରଥମେ ଏହା ଉତ୍ତର-ପୂର୍ବ ଦିଗକୁ ଗତି କରିବା ସହିତ କେନ୍ଦ୍ରୀୟ ବଙ୍ଗୋପସାଗରରେ ଅବପାତରେ ପରିଣତ ହେବ। ଫଳରେ ୨୪ ଓ ୨୫ ତାରିଖରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବ। ବିଶେଷକରି ଉତ୍ତର ଓ ଉପକୂଳ ଓଡ଼ିଶାରେ ଅଧିକ ବର୍ଷିବ। କିଛି କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି। ଏ ନେଇ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି କହିଛନ୍ତି, ୨୪ରେ ଜଗତ୍‌ସିଂହପୁର, କେନ୍ଦ୍ରାପଡ଼ା ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାକୁ ଥିବା ବେଳେ କଟକ, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ ଏବଂ କେନ୍ଦୁଝରରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ୨୫ ତାରିଖରେ ବାଲେଶ୍ୱର, ଭଦ୍ରକ ଓ କେନ୍ଦ୍ରାପଡ଼ାରେ ପ୍ରବଳରୁ ଅତି ପ୍ରବଳ ଏବଂ ଜଗତ୍‌ସିଂହପୁର, ଯାଜପୁର, କଟକ, ମୟୂରଭଞ୍ଜ ଓ କେନ୍ଦୁଝରରେ ପ୍ରବଳ ବର୍ଷା ହୋଇପାରେ। ଏହି କାରଣରୁ ୨୩ ତାରିଖ ସକାଳୁ କେନ୍ଦ୍ରୀୟ ବଙ୍ଗୋପସାଗରରେ ପବନର ବେଗ ଘଣ୍ଟାପ୍ରତି ୪୦ ରୁ ୫୦ କି.ମି. ରହିବା ସହିତ ଝଟ୍‌କା ପବନର ବେଗ ୬୦କିମି ରହିବା ଆଶଙ୍କା ରହିଛି। ସେହିଭଳି ୨୪ ତାରିଖ ସକାଳୁ ଏହାର ପ୍ରଭାବ ଉତ୍ତର ବଙ୍ଗୋପସାଗରରେ ମଧ୍ୟ ରହିବ। ପବନର ବେଗ ଘଣ୍ଟାପ୍ରତି ୫୦ ରୁ ୬୦କି.ମି. ଓ ଝଟ୍‌କା ପବନର ବେଗ ୭୦କି.ମି. ରହିବ ବୋଲି ଆକଳନ କରାଯାଇଥିବା ମହାନ୍ତି ସୂଚନା ଦେଇଛନ୍ତି। ସେହିଭଳି ୨୩ ତାରିଖ ସକାଳୁ ସମୁଦ୍ର ମୁଖ୍ୟତଃ ଅଶାନ୍ତ ରହିବା ସମ୍ଭାବନା ଥିବାରୁ ମତ୍ସ୍ୟଜୀବୀଙ୍କୁ କେନ୍ଦ୍ରୀୟ ବଙ୍ଗୋପସାଗରକୁ ଏବଂ ୨୪ ତାରିଖରେ ଉତ୍ତର ବଙ୍ଗୋପସାଗରକୁ ପ୍ରବେଶ ନ କରିବା ପାଇଁ କୁହାଯାଇଛି। ସମୁଦ୍ରରେ ଥିବା ମତ୍ସ୍ୟଜୀବୀଙ୍କୁ ୨୩ ତାରିଖ ସୁଦ୍ଧା ଉପକୂଳକୁ ଫେରିଆସିବା ପାଇଁ ପରାମର୍ଶ ଦିଆଯାଇଛି।
ଏପଟେ ରବିବାର ତିନୋଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ଥିବାବେଳେ ସୋମବାର ୧୦ ସହରରେ ପାରଦ ୪୦ ଛୁଇଁଛି। ପାଣିପାଗ କେନ୍ଦ୍ରର ସୂଚନାନୁସାରେ, ସୋମବାର ଝାରସୁଗୁଡ଼ାରେ ଦିନ ତାପମାତ୍ରା ସର୍ବାଧିକ ୪୨.୪ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ୧୦ ସହରରେ ତାପମାତ୍ରା ୪୦ ଡିଗ୍ରୀ କିମ୍ବା ଅଧିକ ରହିଥିଲା। ସମ୍ବଲପୁରରେ ୪୨, ସୁନ୍ଦରଗଡ଼ ୪୧.୭, ହୀରାକୁଦ ୪୧.୬, ବଲାଙ୍ଗୀର ୪୧.୨, ବୌଦ୍ଧ ଓ ଖୋର୍ଦ୍ଧାରେ ୪୧, ନୂଆପଡ଼ା ୪୦.୪, ଭବାନିପାଟଣା ଓ କେନ୍ଦୁଝରରେ ୪୦ ଡିଗ୍ରୀ ତାପମାତ୍ରା ରହିଥିଲା। ଉପକୂଳରେ ଅସହ୍ୟ ଗୁଳୁଗୁଳି ସାଙ୍ଗକୁ ଉଷ୍ମଆର୍ଦ୍ର ସ୍ଥିତି ଜାରି ରହିଛି। ଆଗାମୀ ୩ ଦିନ ମଧ୍ୟରେ ଆହୁରି ୨ରୁ ୩ ଡିଗ୍ରୀ ଯାଏ ତାତି ବଢ଼ିବା ସମ୍ଭାବନା ରହିଛି ବୋଲି ପାଣିପାଗ କେନ୍ଦ୍ର ସୂଚନା ଦେଇଛି। ତେଣୁ ୨୧ରୁ ୨୩ ତାରିଖ ପର୍ଯ୍ୟନ୍ତ କିଛି ଜିଲାକୁ ହିଟ୍‌ଓ୍ବେଭ୍‌ ନେଇ ୟେଲୋ ଓ୍ବାର୍ନିଂ ମଧ୍ୟ ଜାରି କରାଯାଇଛି।

Share