୩ ଦିନିଆ ଆଦିବାସୀ ମହୋତ୍ସବ ଉଦ୍‌ଯାପିତ

ବଡ଼ବିଲ,୨୨।୫(ସ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲସ୍ଥିତ ଉତ୍ସବ ପଡ଼ିଆରେ ୩ ଦିନ ଧରି ଚାଲିଥିବା ଜାତୀୟସ୍ତରୀୟ ଆଦିବାସୀ ମହୋତ୍ସବ ଉଦ୍‌ଯାପିତ ହୋଇଯାଇଛି। ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥିଭାବେ କେନ୍ଦ୍ର ପ୍ରତିରକ୍ଷା ଉପରେ ସଂସଦୀୟ କମିଟି ସଭାପତି ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ। ପଦ୍ମଶ୍ରୀ ଦୈତାରୀ ନାଏକ, ଝାଡ଼ଖଣ୍ଡର ସାମାଜିକ କର୍ମୀ ବର୍ଖା ଲାକରା, ଗୁଜରାଟର ଦିଲୀପ ନିମାମା ପ୍ରମୁଖ ସମ୍ମାନୀତ ଅତିଥି ଭାବରେ ଯୋଗ ଦେଇଥିଲେ । ଆଦିବାସୀ କଳା ଓ ସଂସ୍କୃତିକୁ ସମସ୍ତଙ୍କୁ ପରିଚିତ କରାଇବା ପାଇଁ ପ୍ରତ୍ୟେକ ବର୍ଷ ରାଜ୍ୟରେ ଏହିଭଳି ମହୋତ୍ସବ ଆୟୋଜନ କରାଯିବା ଆବଶ୍ୟକ ବୋଲି ଜୁଏଲ କହିଥିଲେ। ଏଥି ସହିତ ବିଭିନ୍ନ ଆଦିବାସୀ ଭାଷା ଓ ଲିପିର ଉନ୍ନତିକରଣ ସହ ପ୍ରସାରର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ।
ସଭା କାର୍ଯ୍ୟ ପରେ ପରିବେଷିତ ସାଂସ୍କୃତିକ କାର୍ଯ୍ୟକ୍ରମ ଲୋକଙ୍କ ମନ ମୋହିଥିଲା । ବିିଭିନ୍ନ ରାଜ୍ୟରୁ ଆସିଥିବା ଆଦିବାସୀଙ୍କ ଲୋକ ନୃତ୍ୟରେ ଦର୍ଶକ ଝୁମି ଉଠିଥିଲେ। ଝାଡ଼ଖଣ୍ଡର ମୁଣ୍ଡାରୀ, ଜନ୍ତ୍ରା ଏବଂ ଆସାମର ରଭା ଓ ବିହୁ ଏବଂ ବଲାଙ୍ଗୀରର ଘୁଡ଼କା ଲୋକ ନୃତ୍ୟକୁ ଲୋକେ ମନଭରି ଉପଭୋଗ କରିଥିଲେ ।

Share