୩ ଦିନିଆ ଟ୍ରାଇଥନ ଟ୍ରିପ୍ଲେଟ୍‌ ଉଦ୍‌ଘାଟିତ

ଭୁବନେଶ୍ୱର,୧୯।୧୧ (ଅନୁରାଧା ମହାରଣା): ଭୁବନେଶର ଚନ୍ଦ୍ରଶେଖରପୁରସ୍ଥିତ ଟ୍ରାଇଡେଣ୍ଟ ଗ୍ରୁପ୍‌ ଅଫ୍‌ ଇନ୍‌ଷ୍ଟିଚ୍ୟୁଶନ୍ସ ପକ୍ଷରୁ ପୂର୍ବ ଭାରତର ବୈଷୟିକ ଛାତ୍ରୀଛାତ୍ରଙ୍କ ମଧ୍ୟରେ ୩ ଦିନିଆ ହାକାଥନ ‘ଟ୍ରାଇଥନ ଟ୍ରିପ୍ଲେଟ-୨୦୨୩’ ଶନିବାର ଉଦ୍‌ଘାଟିତ ହୋଇଯାଇଛି। ଓଡ଼ିଶାରେ ପ୍ରଥମଥର ପାଇଁ ଏହିପରି ବିଭିନ୍ନ ବର୍ଗରେ ୩ଟି ସମାନ୍ତରାଳ ଇଭେଣ୍ଟର ଯୋଜନା କରାଯାଇଛି। ପ୍ରଥମ ଟ୍ରାକ୍‌ଟି କେବଳ ଝିଅମାନଙ୍କ ପାଇଁ ଉଦ୍ଦିଷ୍ଟ ଯାହାର ବିଚାର ଆଇଟି ଏବଂ ବୟୋଟେକ୍‌ ଶିଳ୍ପ ଶିକ୍ଷାନୁଷ୍ଠାନର ମହିଳାମାନଙ୍କ ଦ୍ୱାରା କରାଯାଉଛି। ଏପରିକି ଏହା କେବଳ ମହିଳା ଅଧ୍ୟାପିକାମାନଙ୍କ ଦ୍ୱାରା ପରିଚାଳନା କରାଯାଉଛି। ଦ୍ୱିତୀୟ ଟ୍ରାକ୍‌ରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, ଇଣ୍ଟରନେଟ୍‌ ଅଫ୍‌ ଥିଙ୍ଗ୍‌ସ, ରିମୋଟ ସେନ୍ସିଂ ଏବଂ ଜିଆଇଏସ୍‌ ଡ୍ରୋନ୍‌, ଡାଟା ସାଇନ୍ସ ଆନାଲିଟିକ୍ସ ଏବଂ ବାୟୋ-ମାନ୍ୟୁଫାକ୍ଚରିଂ । ବାୟୋ ପ୍ରୋସେସିଂ ଭଳି ଅଗ୍ରଣୀ ଟେକ୍ନୋଲୋଜିର ଉପଯୋଗ କରାଯିବ। ପ୍ରତିଯୋଗୀ ଦଳଗୁଡ଼ିକ ତୃତୀୟ ଟ୍ରାକ୍‌ରେ ନିରବଚ୍ଛିନ୍ନ ଭାବେ ୨୪ଘଣ୍ଟାର ପ୍ରୋଗ୍ରାମିଂ କରିବେ । ଏହି ତିନୋଟିଯାକ ଟ୍ରାକ୍‌ରେ (ଟ୍ରାଇଡେଣ୍ଟ-ଟ୍ରିପ୍ଲେଟ୍‌) ସମସ୍ତ ପ୍ରତିଯୋଗୀ ସେମାନଙ୍କର ପ୍ରୋଗ୍ରାମିଂ ପ୍ରସ୍ତୁତ କରିଛନ୍ତି। ଏହାର ବିଷୟବସ୍ତୁ ‘ଜଳବାୟୁ ପରିବର୍ତ୍ତନର ଆହ୍ବାନ ଏବଂ ନିରନ୍ତରତାରେ ପ୍ରଯୁକ୍ତିବିଦ୍ୟାର ହସ୍ତକ୍ଷେପ’ ରଖାଯାଇଛି। ଏହି ତିନୋଟି ଟ୍ରାକ୍‌ ଶେଷ ହେବା ପରେ ଟ୍ରାକ୍‌-୧, ଟ୍ରାକ୍‌-୨ ଏବଂ ଟ୍ରାକ୍‌-୩ ପାଇଁ ପୁରସ୍କାର ରାଶି ଯଥାକ୍ରମେ ୫୦ ହଜାର ଟଙ୍କା, ୫୦ହଜାର ଟଙ୍କା ଏବଂ ୧ଲକ୍ଷ ଟଙ୍କା ରଖାଯାଇଛି । ଏହାବ୍ୟତୀତ ଏହି ତିନୋଟି ଇଭେଣ୍ଟରେ ଶ୍ରେଷ୍ଠ ୩ଜଣ ପ୍ରୋଗ୍ରାମରଙ୍କୁ ବ୍ୟକ୍ତିଗତ ଭାବେ ତିନୋଟି ପୁରସ୍କାର ପ୍ରଦାନକରାଯିବ । ପୂର୍ବ ଭାରତର ପ୍ରମୁଖ ଇଞ୍ଜିନିୟରିଂ ଶିକ୍ଷାନୁଷ୍ଠାନଗୁଡିକର ପ୍ରାୟ ୧୪୦ ଦଳ ଏହି ଟ୍ରାଇଡେଣ୍ଟ ଟ୍ରିପ୍ଲେଟ୍‌ ପାଇଁ ନାମ ପଞ୍ଜୀକରଣ କରିଥିଲେ । ସ୍କ୍ରିନିଂ ରାଉଣ୍ଡ ପରେ ହାକାଥନରେ ବର୍ତ୍ତମାନ ୮୦ଟି ଦଳ ତିନୋଟି ଟ୍ରାକ୍‌ରେ ଅଂଶଗ୍ରହଣ କରୁଛନ୍ତି ଯେଉଁଥିରେ ପ୍ରାୟ ୩୫୦ ଜଣ ଛାତ୍ରୀଛାତ୍ର ଅଛନ୍ତି। ୨୦ ତାରିଖ ପର୍ଯ୍ୟନ୍ତ ଟ୍ରାଇଡେଣ୍ଟ ଗ୍ରୁପ୍‌ ପଟିଆ ଇନ୍‌ଫୋସିଟି ସାମ୍ନା କ୍ୟାମ୍ପସରେଏହି କାର୍ଯ୍ୟକ୍ରମ ଚାଲିବ।

Share