ଅବସର ଦିବସର ୩ ଦିନ ପୂର୍ବରୁ ଲାଞ୍ଚନେଇ ଧରାପଡ଼ିଲେ ଡିଇଓ

କେନ୍ଦ୍ରାପଡା ଅଫିସ, ୨୭।୭: କେନ୍ଦ୍ରାପଡ଼ା ଜିଲା ଶିକ୍ଷାଧିକାରୀ ସଞ୍ଜୀବ କୁମାର ସିଂହଙ୍କର ଆସନ୍ତା ୩୧ ତାରିଖ ଚାକିରି କାର୍ଯ୍ୟକାଳର ଶେଷ ଦିବସ। ଏହାର ୩ ଦିନ ପୂର୍ବରୁ ଅର୍ଥାତ୍‌ ବୁଧବାର ସକାଳେ ଲାଞ୍ଚ ନେବା ଅଭିଯୋଗରେ ଭିଜିଲାନ୍ସ ବିଭାଗ ହାତରେ ଧରାପଡିଛନ୍ତି। ପଟ୍ଟାମୁଣ୍ଡାଇ ନିମପୁର ସ୍କୁଲ ପିଅନ ସନ୍ତୋଷ କୁଣ୍ଡୁଙ୍କୁ ଡେରାବିଶ ବିଇଓ କାର୍ଯ୍ୟାଳୟକୁ ବଦଳି କରିବା ପାଇଁ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ସେ ଧରାପଡିଛନ୍ତି। କଟକ ଭିଜିଲାନ୍ସ ବିଭାଗ ପକ୍ଷରୁ ତାଙ୍କ ନାମରେ କେସ୍‌ ନଂ.୪୨/୨୨ରେ ମାମଲା ରୁଜୁ ହୋଇଛି। ଏ ନେଇ ଜିଲା ଶିକ୍ଷା ବିଭାଗ କାର୍ଯ୍ୟାଳୟ, ତିନିମୁହାଣୀସ୍ଥିତ ଭଡ଼ାଘର, କଟକସ୍ଥିତ ଘର ଓ ବାଲେଶ୍ୱରସ୍ଥିତ ପୈତୃକ ଘର ଉପରେ ବିଭାଗୀୟ ଚଢ଼ାଉ ଜାରି ରହିଛି।
ଅଭିଯୋଗକାରୀ କୁଣ୍ଡୁଙ୍କ ସୂଚନା ଅନୁଯାୟୀ, ସ୍ଥାନାନ୍ତର ପାଇଁ ବହୁବାର ଜିଲା ଶିକ୍ଷାଧିକାରୀଙ୍କୁ ଆବେଦନ କରିଛନ୍ତି। ମାତ୍ର ଲାଞ୍ଚ ନ ଦେଲେ ବଦଳି ହୋଇପାରିବ ନାହିଁ ବୋଲି ଶିକ୍ଷାଧିକାରୀ ସିଂହ କହିଥିଲେ।ଏ ନେଇ ଭିଜିଲାନ୍ସ ବିଭାଗକୁ ଜଣାଇଥିଲେ। ସକାଳ ୯ଟାରେ ତିନିମୁହାଣୀ ଛକ ଏନ୍‌ଏଚ୍‌ କଲୋନୀସ୍ଥିତ ଭଡାଘରେ ଏହି ଲାଞ୍ଚ ଟଙ୍କା ଦେବା ପରେ ବିଭାଗୀୟ ଅଧିକାରୀ ଚଢ଼ାଉ କରିଥିଲେ।

Share