୩ ଦିନ ଶୀତ ଲହରି: ୪ରୁ ୫ ଡିଗ୍ରୀ ଖସିବ ପାରଦ

ଭୁବନେଶ୍ୱର,୧ା୨(ବ୍ୟୁରୋ): ପୁଣି ଶୀତ ଲେଉଟିଛି। ରାଜ୍ୟର ଅଧିକାଂଶ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୧୫ ଡିଗ୍ରୀ ସେଲ୍‌ସିୟସ ତଳକୁ ଖସିଯାଇଛି। ଆସନ୍ତା ୩ ଦିନ ଯାଏ କେତେକ ଜିଲାରେ ଶୀତ ଲହରି ହେବ ବୋଲି ପାଣିପାଗ ବିଭାଗ ଚେତାବନୀ ଦେଇଛି। ସୋମବାର ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଦେବଗଡ଼, ବରଗଡ଼, ସମ୍ବଲପୁର, ବଲାଙ୍ଗୀର, ସୋନପୁର, ବୌଦ୍ଧ ଏବଂ ଅନୁଗୋଳ ଜିଲାର କେତେକ ସ୍ଥାନରେ ଶୀତ ଲହରି ପ୍ରବାହିତ ହେବ। ସେହିପରି ମଙ୍ଗଳବାର ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର, ମୟୂରଭଞ୍ଜ, ଦେଓଗଡ଼, ବରଗଡ଼, ସମ୍ବଲପୁର, ବଲାଙ୍ଗୀର, ସୁବର୍ଣ୍ଣପୁର, ବୌଦ୍ଧ ଏବଂ ଅନୁଗୋଳ ଜିଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଥଣ୍ଡା ବାୟୁ ପ୍ରବାହ ହେବ। ବୁଧବାର ମଧ୍ୟ ଉକ୍ତ ଜିଲାଗୁଡିକରେ ପ୍ରବଳ ଥଣ୍ଡା ଅନୁଭୂତ ହେବ। ଏ ନେଇ ପାଣିପାଗ ବିଭାଗ ପକ୍ଷରୁ ୟେଲୋଓ୍ବାର୍ନିଂ ଜାରି କରାଯାଇଛି। ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ରବିବାର ରାଜ୍ୟର ୧୧ଟି ସହରର ସର୍ବନିମ୍ନ ତାପମାତ୍ରା ୧୩ ଡିଗ୍ରୀ ସେଲ୍‌ସିୟସ ତଳେ ରହିଛି। ଝାରସୁଗୁଡ଼ାରେ ସର୍ବନିମ୍ନ ତାପମାତ୍ରା ୭.୮ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଥିବା ବେଳେ କେନ୍ଦୁଝର ୮.୮, ସମ୍ବଲପୁର ୧୦.୩, ସୁନ୍ଦରଗଡ଼ ୧୦, ହୀରାକୁଦ ୧୧.୧, ଭବାନୀପାଟଣା ୧୨.୮, ବଲାଙ୍ଗୀର ୧୦, ଫୁଲବାଣୀ ୧୦, ସୋନପୁର ୧୦.୮, ଦାରିଙ୍ଗବାଡି ୧୧ ଏବଂ ବୌଦ୍ଧରେ ୧୦.୫ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଛି।

Share