Categories: ଜାତୀୟ

ନୂଆ ଶ୍ରମ ଆଇନ: ବଜେଟ ୨୪ରେ ଆସିବ ନୂଆ ପ୍ରସ୍ତାବ, କର୍ମଚାରୀଙ୍କୁ ମିଳିବ ୩ଦିନ ସାପ୍ତାହିକ ଛୁଟି!

ବଜେଟ ୨୦୨୪କୁ ଆଉ କିଛିଦିନ ବାକି ଥିବାବେଳେ ଅର୍ଥନୀତିଜ୍ଞମାନେ ଏବେଠୁ ବିଭିନ୍ନ ଅଟକଳ ଆରମ୍ଭ କରିଛନ୍ତି। ଆଗକୁ ଲୋକସଭା ନିର୍ବାଚନ ଥିବାବେଳେ ବଜେଟରେ ସରକାର କାହା ଉପରେ ସୁନା କଳସ ଢାଳିବେ ସେ ନେଇ ଚର୍ଚ୍ଚା ଖୁବ୍‌ ଜୋର ଧରିଛି। ଦାବି କରାଯାଉଛି କି, ଆସନ୍ତା ୨୪ ବଜେଟରେ ସରକାର ନୂଆ ଶ୍ରମ ଆଇନ ଆଣିପାରନ୍ତି। ଏଥିରେ ସପ୍ତାହକୁ ୩ଦିନ ଛୁଟି ମିଳିବ ବୋଲି ସରକାର ଘୋଷଣା କରିପାରନ୍ତି।

ସୋସିଆଲ ମିଡିଆରେ ଏହିପରି ଏକ ପୋଷ୍ଟ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ‘ଓ୍ବିକଅଫ୍‌ ପଲିସି’ ନେଇ ଉଲ୍ଲେଖ କରାଯାଇଛି। ଏଥିରେ ଉଲ୍ଲେଖ ଅଛି, ଏହି ପଲିସି ଆଣିବା ଦ୍ୱାରା ବିଭିନ୍ନ ସଂସ୍ଥାରେ ଏବେ ସପ୍ତାହରେ ଦିନେ କି ଦୁଇଦିନ ସାପ୍ତାହିକ ଛୁଟି ରହିବା ପରିବର୍ତ୍ତେ ୩ଦିନ ଛୁଟି ରହିବ। ୨୦୨୪ ଫେବୃଆରୀ ୧ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ଏହାକୁ ଉପସ୍ଥାପନା କରିବେ। ସାପ୍ତାହିକ ଛୁଟି ବଢାଯିବା ସହ କାର୍ଯ୍ୟ ସମୟ, ଦରମା ଓ ଛୁଟିକୁ ନେଇ ମଧ୍ୟ ବିଭିନ୍ନ ପରିବର୍ତ୍ତନ କରାଯିବ।

ତେବେ ପ୍ରେସ ଇନଫୋରମେସନ ବ୍ୟୁରୋ(ପିଆଇବି) ଏହି ଭାଇରାଲ ପୋଷ୍ଟକୁ ଭୁଲ ବୋଲି କହିବା ସହ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଏହାକୁ ନେଇ ଏକ ସୂଚନା ଜାରି କରିଛି। ଯେଉଁଥିରେ ଏଭଳି ଭୁଲ ତଥ୍ୟକୁ ନେଇ ସତର୍କ ରହିବାକୁ ସୂଚନା ଦିଆଯାଇଛି। ଅର୍ଥମନ୍ତ୍ରୀ ସୀତାରମଣଙ୍କ ଦ୍ୱାରା ଏସମ୍ପର୍କିତ କୌଣସି ପ୍ରସ୍ତାବ ଘୋଷଣା ହେବା ନେଇ ନିଷ୍ପତ୍ତି କରାଯାଇନାହିଁ ବୋଲି ପିଆଇବି ସୂଚନା ଦେଇଛି।

Share