ଝାଡ଼ାବାନ୍ତିରେ ୩ ମୃତ, ୫୦ ଆକ୍ରାନ୍ତ

ଅମରପାଲି,୩୦।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ କମିରା ଅଞ୍ଚଳରେ ଝାଡ଼ାବାନ୍ତି ବ୍ୟାପୁଛି। ପ୍ରାୟ ୫୦ରୁ ଅଧିକ ବ୍ୟକ୍ତି ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ବେଳେ ୩ଜଣଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ମୃତକମାନେ ହେଲେ କମିରା ଗ୍ରାମର ଦର୍ଶନି ବେହେରା(୫୦) ଓ ପରୀକ୍ଷିତ ପ୍ରଧାନ (୫୩) ଓ ନିକଟସ୍ଥ ସୁନାରିବେର୍ଣି ଗ୍ରାମର ଧରଣୀ ଥନାପତି(୧୯)।

ଧରଣୀ ଝାଡ଼ାବାନ୍ତିରେ ଆକ୍ରାନ୍ତ ହେବାରୁ ତାଙ୍କୁ ଗୁରୁତର ଅବସ୍ଥାରେ ବୌଦ୍ଧ ଡାକ୍ତରଖାନାକୁ ନେଲାବେଳେ ବାଟରେ ମୃତ୍ୟୁ ହୋଇଛି। ସେହିପରି ପରୀକ୍ଷିତଙ୍କ ସୋନପୁର ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। ଦର୍ଶନି ବେହେରାଙ୍କ ଘରେ ମୃତ୍ୟୁ ହୋଇଛି। ଗ୍ରାମକୁ ଯାଇଥିବା ପାଇପ ଲାଇନ ଫାଟି ଯିବା ସତ୍ତ୍ବେ ସେହି ଫଟା ପାଇପ ଦେଇ ଜଳ ଯୋଗାଣ ହେଇଥିଲା। ଫଳରେ ସେଥିରେ ଯୋଗାଣ ହେଉଥିବା ଦୂଷିତ ପାଣିପିଇ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ପାଖାପାଖି ୫୦ରୁ ଅଧିକ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି। ଗ୍ରାମବାସୀ ନିଜ ଖର୍ଚ୍ଚରୁ ଡାକବାଜି ଯନ୍ତ୍ର ଲଗାଇ ଲୋକଙ୍କୁ ପାଇପ ପାଣି ନ ବ୍ୟବହାର କରିବାକୁ ଓ ସଚେତନ ରହିବାକୁ ଘୋଷଣା କରିଛନ୍ତି। ଏନେଇ ବୀରମହାରାଜପୁର ଉପଖଣ୍ଡ ଚିକିତ୍ସାଳୟର ଏସ୍‌ଡିଏମ୍‌ଓ ଡା.ସପ୍ନେଶ୍ୱର ବେହେରାଙ୍କୁ ଯୋଗାଯୋଗ କରିବାରୁ କମିରା ଅଞ୍ଚଳରେ ଝାଡ଼ାବାନ୍ତି ବ୍ୟାପିଥିବାବେଳେ ବିଭାଗ ଏଥିପ୍ରତି ତତ୍ପର ରହିଛି ବୋଲି ପ୍ରକାଶ କରିଛନ୍ତି। ମାତ୍ର ମୃତକଙ୍କ ବିଷୟରେ ତାଙ୍କ ପାଖରେ ସୂଚନା ନ ଥିବା କହିଛନ୍ତି। ଜିଲା ଓ ଉପଖଣ୍ଡିୟ ମେଡିକାଲ ଟିମ ଗ୍ରାମକୁ ଯାଇ ସ୍ଥିତି ଅନୁଧ୍ୟାନ କରୁଛନ୍ତି। ନମୁନା ସଂଗ୍ରହ କରି ଚିକିତ୍ସା ଜାରି ରଖିଛନ୍ତି। ଡା.ବେହେରାଙ୍କ ଠାରୁ ମିଳିଥିବା ତଥ୍ୟ ଅନୁସାରେ ଗତ ୨୪ ରୁ ୨୯ ତାରିଖ ମଧ୍ୟରେ ପ୍ରାୟ ୩୧ ଜଣ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୭ଜଣ ଆରୋଗ୍ୟ ହୋଇ ସାରିଥିବାବେଳେ ୧୪ ଜଣ ବୀରମହାରାଜପୁର ଓ ସୁବଳୟା ଡାକ୍ତରଖାନାରେ ଏବେ ଚିକିତ୍ସିତ ହେଉଛନ୍ତି। ବିଭାଗ ତରଫରୁ ଆଶା, ଅଙ୍ଗନୱାଡ଼ି କର୍ମୀ, ସ୍ବାସ୍ଥ୍ୟକର୍ମୀ ଓ ଅନ୍ୟ କର୍ମଚାରୀମାନେ ଲୋକଙ୍କୁ ସଚେତନ କରିବା ସହିତ ସ୍ଥିତି ନିରୀକ୍ଷଣ କରୁଛନ୍ତି। ତେବେ ଅଞ୍ଚଳରେ ଝାଡାବାନ୍ତି ବ୍ୟାପୁଥିବାରୁ ଆଗକୁ ଯେପରି ଅଧିକ ଲୋକ ଆକ୍ରାନ୍ତ ନ ହୁଅନ୍ତି ସେଥିପ୍ରତି ବିଭାଗ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି।

Share