ଇସ୍ତାନବୁଲ,୨୧।୧୧: ସିରିଆ ରକେଟ୍ ମାଡ଼ରେ ତୁର୍କିର ସୀମାବର୍ତ୍ତୀ ସହର କାରକାମିସରେ ସୋମବାର ୩ ଜଣଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ୬ ଜଣ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଜଣେ ଶିଶୁ ଥିବା ତୁର୍କି ଗୃହମନ୍ତ୍ରୀ ମହମୁତ ଓଜେର ସୂଚନା ଦେଇଛନ୍ତି। ରକେଟ୍ ମାଡ଼ରେ କାରକାମିସର ଦୁଇଟି ଘର ସଙ୍ଗକୁ ଏକ ବିଦ୍ୟାଳୟ ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଛି। ଆଗାମୀ ଦିନରେ ତୁର୍କି ଏକ ସ୍ବତନ୍ତ୍ର ଗ୍ରାଉଣ୍ଡ ଅପରେଶନ୍ ସିରିଆରେ କରିବ ବୋଲି ରାଷ୍ଟ୍ରପତି ରିସେପ ଟାୟିପ ଇଡ୍ରୋଗାନ କହିଛନ୍ତି। ପ୍ରଦେଶର ସୁରକ୍ଷାକୁ ଦୃଷ୍ଟିରେ ରଖି କାର୍ଯ୍ୟ ପ୍ରଣାଳୀ ଆପଣାଯିବ ବୋଲି ସେ ମତ ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ, ରବିବାର ସିରିଆର ରକେଟ ମାଡ଼ରେ ତୁର୍କିର ୬ ପୋଲିସ ଅଧିକାରୀଙ୍କ ସମେତ ୨ ସେନା କର୍ମଚାରୀ ନିହତ ହୋଇଥିଲେ।