ସୁକମା,୧୭।୫: ଛତିଶଗଡ଼ ସୁକାମା ଜିଲାରେ ଗତ କିଛି ଦିନ ହେଲା ଲାଲବାହୀନିର ଲାଲତାଣ୍ଡବ ଦେଖିବାକୁ ମିଳିଛି। କିଛି ଦିନର ବିରତି ପରେ ପୁଣି ଥରେ ମାଓବାଦୀ ସକ୍ରିୟ ଥିବା ନେଇ ଜାହିର କରିଛନ୍ତି। ସୋମବାର ସୁକମା ଜିଲାର ସିଲଗେର ଗାଁରେ ଥିବା ପୋଲିସ କ୍ୟାମ୍ପ ଉପରକୁ ମାଓବାଦୀ ଆକ୍ରମଣ କରିଛନ୍ତି। ମାଓବାଦୀମାନେ ଗାଁଲୋକଙ୍କ ସହ ମିଶି ପୋଲିସ କ୍ୟାମ୍ପ ଜଳାଇବାକୁ ଉଦ୍ୟମ କରିବା ସହ ସୁରକ୍ଷାକର୍ମୀଙ୍କ ଉପରକୁ ପଥର ଫିଙ୍ଗିଥିଲେ। ଏହାପରେ ମାଓବାଦୀ ପୋଲିସ ଉପରକୁ ଗୁଳି ଚଳାଇଥିଲେ। ଏହାର ପ୍ରତି ଜବାବରେ ପୋଲିସ ମଧ୍ୟ ପାଲଟା ଆକ୍ରମଣ କରିଥିଲା। ତେବେ ଏହି ଗୁଳିବିନିମୟରେ ୩ଗ୍ରାମବାସୀଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ କେତେକ ମାଓବାଦୀଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି। ସୂଚନା ମୁତାବକ ସିଲଗେର ଗାଁ ମାଓବାଦୀ ଅଞ୍ଚଳ ହୋଇଥିବା ବେଳେ ଏଠାରେ ଥିବା ପୋଲିସ କ୍ୟାମ୍ପକୁ ପୂର୍ବରୁ ବିରୋଧ କରାଯାଉଛି। ଏଠାରୁ ପୋଲିସ କ୍ୟାମ୍ପ ନ ଉଠାଯିବାରୁ ଗାଁଲୋକଙ୍କୁ ନେଇ ଏଭଳି ପ୍ରତିବାଦ କରିଛନ୍ତି ମାଓବାଦୀ।