ବରଗଡ/ସୋହେଲା଼,୨୮।୨(ପ୍ରେମାନନ୍ଦ ଖମାରୀ/ଅଶ୍ୱିନୀ ପାତ୍ର): ବରଗଡ଼-ପଦ୍ମପୁର ରାସ୍ତାର ମେଲଛାମୁଣ୍ଡା ଥାନା ଘେଁସ୍ଠାରେ ଶୁକ୍ରବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ରାସ୍ତାପାର୍ଶ୍ୱରେ ଛିଡ଼ା ହୋଇଥିବା ଏକ ଟ୍ରକ(ନଂ-ସିଜି୦୬ଜିଜେଡ୍ ୯୨୦୦)କୁ ପଛପଟୁ ଧକ୍କା ଦେଇ ଅନ୍ୟଏକ ସ୍କର୍ପିଓ ଗାଡ଼ି(ନଂ-ସିଜି୧୩ଏୱାଇ ୯୦୫୪)ରେ ବସିଥିବା ୩ଜଣଙ୍କ ମୃତ୍ୟୁ ହୋଇଛି। ମୃତକମାନେ ହେଲେ, ଛତିଶଗଡ଼ ରାୟଗଡ଼ ଜିଲା ଝିକାବାହାଲ ଗ୍ରାମର ଅଂଶୁମାନ ବେହେରା(୧୧), ତାଙ୍କ ମା ଲିଲି ବେହେରା(୩୫) ଏବଂ ସ୍କର୍ପିଓ ଡ୍ରାଇଭର ଉଦୟ ସିଂ ସିଧାର(୪୦)। ସେହିପରି ଅନ୍ୟ ୨ଜଣ ମୃତ ଅଂଶୁମାନଙ୍କ ଭଉଣୀ ଅଂଶିକା(୭) ଏବଂ ବାପା ନୈମିଶ(୪୨) ଗୁରୁତର ଅବସ୍ଥାରେ ବରଗଡ଼ର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧିନ ଅଛନ୍ତି।
ସୂଚନା ଅନୁଯାୟୀ, ମୃତାହତ ସ୍କର୍ପିଓ ଗାଡ଼ିରେ ପଦ୍ମପୁର ପାଖ ସତିଆଁ ଗ୍ରାମକୁ ଯାଉଥିଲେ। ନୈମିଶ ପରିବାର ଲୋକଙ୍କ ସହିତ ଉକ୍ତ ଗ୍ରାମର ତାଙ୍କ ଶ୍ୱଶର ଘରକୁ ଆସୁଥିଲେ। ମାତ୍ର ଘେଁସ୍ ନିକଟ ଏକ ଢ଼ାବା ଆଗରେ ରାସ୍ତାପାର୍ଶ୍ୱରେ ଛିଡ଼ା ହୋଇଥିବା ଟ୍ରକକୁ ପଛପଟୁ ସ୍କର୍ପିଓ ଧକ୍କା ଦେଇଥିଲା। ଫଳରେ ତୀବ୍ରବେଗରେ ଆସୁଥିବା ସ୍କର୍ପିଓର କିଛି ଅଂଶ ଟ୍ରକ ପଛପଟକୁ ପଶି ଯାଇଥିଲା। ଖବର ପାଇ ମେଲଛାମୁଣ୍ଡା ଥାନା ପୋଲିସ ଅଗ୍ନିଶମ କର୍ମଚାରୀଙ୍କ ସହିତ ଘଟଣାସ୍ଥଳକୁ ପହଞ୍ଚିଥିଲା। ସେଠାରୁ ମୃତାହତଙ୍କୁ ଉଦ୍ଧାର କରି ପ୍ରଥମେ ସୋହେଲା ଡାକ୍ତରଖାନାକୁ ଆଣିଥିଲା। ତେବେ ଅଂଶୁ ଏବଂ ଲିଲିଙ୍କୁ ଡାକ୍ତର ମୃତ ଘୋଷଣା କରିଥିବାବେଳେ ଅନ୍ୟ ୩ଜଣଙ୍କୁ ବରଗଡ଼ର ଏକ ଘରୋଇ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ସ୍କର୍ପିଓ ଡ୍ରାଇଭର ଉଦୟଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ସୋହେଲା ଥାନା ପୋଲିସ ଏ ନେଇ ଏକ ମାମଲା(ନଂ-୩୯/୨୫) ରୁଜୁ ସହିତ ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଜବତ କରି ଅଧିକ ତଦନ୍ତ କରୁଛି।