କୋଚିଂ ସେଣ୍ଟର ହଷ୍ଟେଲରେ ଅଘଟଣ: ସାପକାମୁଡ଼ାରେ ୩ ମୃତ, ଜଣେ ଗୁରୁତର

କେନ୍ଦୁଝର,୨୩ା୭(ନରେଶ ପଟ୍ଟନାୟକ): କେନ୍ଦୁଝର ଜିଲା ଝୁମ୍ପୁରା ବ୍ଲକ ଅନ୍ତର୍ଗତ ଜାଲି ନିକଟସ୍ଥ ନିଶ୍ଚିନ୍ତପୁରଠାରେ ଥିବା ଏକ କୋଚିଂ ସେଣ୍ଟରରେ ଶୋଇଥିବା ସମୟରେ ସାପ କାମୁଡ଼ିବାରୁ ୩ଶିଶୁଙ୍କ ମୃତ୍ୟୁ ଘଟିଛି। ଜଣେ ଛାତ୍ର ଗୁରୁତର ହେବାରୁ କଟକ ପଠାଯାଇଛି। ମୃତକ ମଧ୍ୟରେ ୨ ଛାତ୍ରୀ ଓ ଜଣେ ଛାତ୍ର। ସେମାନଙ୍କ ବୟସ ୧୦ରୁ ୧୧ ବର୍ଷ ମଧ୍ୟରେ ଏବଂ ଷଷ୍ଠ ଓ ସପ୍ତମ ଶ୍ରେଣୀରେ ପଡୁଥିଲେ। ଶନିବାର ରାତିରେ ସାପ କାମୁଡ଼ିବାରୁ ସେମାନେ ଅସୁସ୍ଥ ହୋଇପଡ଼ିଥିଲେ। ରବିବାର କେନ୍ଦୁଝର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ମାତ୍ର ୨ ଛାତ୍ରୀଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ପରେ ଆଉ ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ସେମାନେ ହେଲେ ଏଲିନା ନାଏକ, ସ୍ନେହାଶ୍ରୀ ନାଏକ, ରାବ ନାଏକ ଓ ଆକାଶ ନାଏକ ବୋଲି ପ୍ରାଥମିକ ସୂଚନାରୁ ଜଣାପଡ଼ିଛି। ପ୍ରକାଶ ଥାଉକି, ୨ ଦିନ ତଳେ କେନ୍ଦୁଝରଠାରେ ଏକ କୋଚିଂ ସେଣ୍ଟରରେ ସାପକାମୁଡ଼ାରେ ଜଣେ ଛାତ୍ର ପ୍ରାଣ ହରାଇଥିଲେ ଓ ଅନ୍ୟ ଜଣେ ଗୁରୁତର ଅବସ୍ଥାରେ କଟକ ଚିକିତ୍ସା ପାଇଁ ନିଆଯାଇଥିଲା। ଏନେଇ ଅତିରିକ୍ତ ତହସିଲଦାର ରମେଶ ଚନ୍ଦ୍ର ନାଏକ କହିଛନ୍ତି, ସେ ଘଟଣାସ୍ଥଳକୁ ଯାଇ ଅନୁଧ୍ୟାନ କରୁଛନ୍ତି। ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ହେବ।

Share