ଝାଡ଼ାବାନ୍ତିରେ ୩ ଦିନରେ ୩ ମୃତ

ନନ୍ଦାହାଣ୍ଡି,୧୩।୮(ପ୍ରତୀପ୍‌ କୁମାର ଦାଶ): ନବରଙ୍ଗପୁର ଜିଲା ନନ୍ଦାହାଣ୍ଡି ବ୍ଲକର ଝାଡ଼ବନ୍ଧଗୁଡ଼ା ପଞ୍ଚାୟତ ଦଣ୍ଡସେନାଗୁଡ଼ାରେ ଗତ ୩ ଦିନରେ ୩ ଜଣଙ୍କର ଝାଡ଼ାବାନ୍ତିରେ ମୃତ୍ୟୁ ହୋଇଛି। ସ୍ବାସ୍ଥ୍ୟ ବିଭାଗର ଏକ ଟିମ୍‌ ସେଠାରେ ପହଞ୍ଚି ଗାଁ ଲୋକଙ୍କ ସ୍ବାସ୍ଥ୍ୟ ଯାଞ୍ଚ କରୁଛି। କେହି ଗୁଣିଗାରେଡ଼ି କରିଥିବା ସନ୍ଦେହରେ ଗୁଣିଆ ଆଣି ଝଡ଼ାଫୁଙ୍କା କରିବା ପରେ ସବୁକିଛି ଠିକ୍‌ ହୋଇଯିବ ବୋଲି ଗ୍ରାମବାସୀ କହୁଛନ୍ତି।
ସୂଚନାନୁଯାୟୀ, ଡମ୍ବୁରୁ ଅମନାତ୍ୟଙ୍କ ଝିଅ ଜାନକୀ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିଲେ। ସେ ଡାକ୍ତରଙ୍କ ପରାମର୍ଶ ନ ମାନି ସୁସ୍ଥ ହେବା ପୂର୍ବରୁ ସେଠାରୁ ଫେରିଆସିଥିଲେ। ଶୁକ୍ରବାର ଗାଁରେ ତାଙ୍କର ମୃତ୍ୟୁ ହୋଇଥିଲା। ସେହିଭଳି ଗାଁର ନରସିଂହ ନାୟକ ରବିବାର ଓ ପାଖ ଗାଁ ଜଗନ୍ନାଥପୁରରୁ ଦଣ୍ଡସେନାଗୁଡ଼ାକୁ ଆସିଥିବା ବୃଦ୍ଧା ତୁଲସା ଅମନାତ୍ୟଙ୍କ ସୋମବାର ସକାଳେ ମୃତ୍ୟୁ ହୋଇଛି। ଖବର ପାଇ ସ୍ବାସ୍ଥ୍ୟ ବିଭାଗର ଏକ ଟିମ୍‌ ଦଣ୍ଡସେନାଗୁଡ଼ା ଗ୍ରାମକୁ ଯାଇ ଲୋକଙ୍କ ସ୍ବାସ୍ଥ୍ୟ ଯାଞ୍ଚ କରିବା ସହ ଭଲ ଖାଇବା ଓ ଗରମପାଣି ପିଇବାକୁ ସଚେତନ କରାଇଛି। ରବିବାର ଗାଁର ଶ୍ରୀଧର ଅମନାତ୍ୟ ଝାଡ଼ାବାନ୍ତିରେ ଆକ୍ରାନ୍ତ ହେବାପରେ ପରିବାର ଲୋକେ ଗୁଣିଆ ପାଖକୁ ନେଇଥିଲେ। ସେଠାରୁ ଫେରିବା ପରେ ଡାକ୍ତରୀ ଟିମ୍‌ ଶ୍ରୀଧରଙ୍କୁ ଡାକ୍ତରଖାନା ନେବାକୁ କହିଥିଲେ ମଧ୍ୟ ପରିବାର ଲୋକ ରାଜି ହୋଇ ନ ଥିଲେ। ଘରେ ହିଁ ଡାକ୍ତରୀ ଟିମ୍‌ ତାଙ୍କର ଚିକିତ୍ସା କରୁଛି। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଅତିରିକ୍ତ ଜିଲା ଚିକିତ୍ସାଧିକାରୀଙ୍କ ତତ୍ତ୍ୱାବଧାନରେ ଏକ ଡାକ୍ତରୀ ଟିମ୍‌ ଗାଁରେ ରହିଛି। ପାଣି ନମୁନା ଓ ଆକ୍ରାନ୍ତଙ୍କଠାରୁ ରେକ୍‌ଟାଲ ସ୍ବାବ୍‌ ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଛି । ରିପୋର୍ଟ ଆସିବା ପରେ ଠିକ୍‌ ତଥ୍ୟ ମିଳିପାରିବ ବୋଲି ଅତିରିକ୍ତ ଜିଲା ଚିକିତ୍ସାଧିକାରୀ ଡା. ନବ କିଶୋର ବେହେରା ସୂଚନା ଦେଇଛନ୍ତି। ତେବେ ଡାକ୍ତରଙ୍କୁ ସହଯୋଗ ନ କରି କେବଳ ଗୁଣିଆ ଏବଂ ଦିଶାରୀଙ୍କ ପାଖରେ ପୂଜା ଏବଂ ଚିକିତ୍ସା କରାଇବା ଦ୍ୱାରା ସ୍ଥିତି ଜଟିଳ ହେବାର ଆଶଙ୍କା ରହିଛି। ତେଣୁ ସ୍ଥିତି ସୁଧୁରିବା ଯାଏ ଏକ ଡାକ୍ତରୀ ଟିମ୍‌ ଗ୍ରାମରେ ଉପସ୍ଥିତ ରହିବ ବୋଲି ସୂଚନା ମିଳିଛି।

ଫଟୋ-ଡାକ୍ତରୀ ଟିମ୍‌ ଆକ୍ରାନ୍ତଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିବା ସହ ଚିକିତ୍ସା ଜାରି ରଖିଛି।