ଯୁକ୍ତ ୩ ନାମଲେଖା ଆବେଦନ ଆରମ୍ଭ

ଭୁବନେଶ୍ୱର,୧୯ା୬(ଅନୁରାଧା ମହାରଣା) – ରାଜ୍ୟର ଡିଗ୍ରୀ କଲେଜଗୁଡ଼ିକରେ ଯୁକ୍ତ୩ କଳା, ବିଜ୍ଞାନ, ବାଣିଜ୍ୟ ଓ ସେଲ୍ଫ ଫାଇନାସିଂ କୋର୍ସରେ ପ୍ରଥମ ବର୍ଷ ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା ସୋମବାର ଆରମ୍ଭ ହୋଇଛି। ଆବେଦନର ଶେଷ ତାରିଖ ଜୁଲାଇ ୪ ରାତି ୧୧ଟା ୪୫ ଧାର୍ଯ୍ୟ କରାଯାଇଛି। ତେବେ ପ୍ରଥମ ଦିନରେ ରାତି ୮ଟା ସୁଦ୍ଧା ୪,୫୦୭ଜଣ ପଞ୍ଜୀକରଣ କରିଥିବାବେଳେ ୪,୪୭୬ଜଣ ଅନ୍‌ଲାଇନରେ ଦେୟ ପୈଠ କରିଛନ୍ତି। ୨୧ ଜୁନ୍‌ରୁ ଜୁଲାଇ ୭ ମଧ୍ୟରେ ଆବେଦନକାରୀ ତଥ୍ୟ ପରିବର୍ତ୍ତନ କରିପାରିବେ। କଟ୍‌ଅଫ୍‌ ମାର୍କ ଅନୁସାରେ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ଜୁଲାଇ ୧୪ରେ ପ୍ରକାଶ ପାଇବ। ୨ୟ ପର୍ଯ୍ୟାୟ ମେଧା ତାଲିକା ଜୁଲାଇ ୨୭ ଅପରାହ୍ଣ ୨ଟାରେ ଓ ତୃତୀୟ ପର୍ଯ୍ୟାୟ ଅଗଷ୍ଟ ୯ରେ ପ୍ରକାଶ ପାଇବ। କଲେଜଗୁଡ଼ିକର ଅବଶିଷ୍ଟ ଆସନରେ ନାମ ଲେଖାଇବା ପାଇଁ ଚତୁର୍ଥ ପର୍ଯ୍ୟାୟ ମେଧା ତାଲିକା ଅଗଷ୍ଟ ୨୧ରେ, ପଞ୍ଚମ ପର୍ଯ୍ୟାୟ ସେପ୍ଟେମ୍ବର ୧ରେ ଓ ଶେଷ ତଥା ଷଷ୍ଠ ପର୍ଯ୍ୟାୟ ମେଧା ଚାଲିକା ସେପ୍ଟେମ୍ବର ୧୩ରେ ପ୍ରକାଶ ପାଇବ। ପ୍ରତ୍ୟେକ ଡିଗ୍ରୀ କଲେଜ କର୍ତ୍ତୃପକ୍ଷ ନିଜ ନିଜ କଲେଜରେ ନାମଲେଖାଇଥିବା ଛାତ୍ରୀଛାତ୍ରଙ୍କ ବିବରଣୀ ସହ ଖାଲିପଡ଼ିଥିବା ଆସନ ସମ୍ପର୍କରେ ଇ-ସ୍ପେସ୍‌ରେ ସୂଚନା ଦେବେ।
ସୂଚନାଯୋଗ୍ୟ, ୨୦୨୩-୨୪ ଶିକ୍ଷାବର୍ଷରେ ୧୦୪୨ କଲେଜର ୨ ଲକ୍ଷ ୭୦ହଜାର ୩୪୭ ସିଟ୍‌ରେ ନାମଲେଖା ହେବ। କଳା ବିଭାଗର ୧ ଲକ୍ଷ ୫୧ ହଜାର ୯୦୨, ଫିଜିକାଲ ସାଇନ୍ସରେ ୪୬,୧୩୯, ବାୟୋଲୋଜିକାଲ ସାଇନ୍ସରେ ୨୮,୬୯୨, ବାଣିଜ୍ୟର ୩୨,୩୮୦, ସେଲ୍ଫ ଫାଇନାନ୍ସିଂର ୨,୦୮୬ ଓ ସଂସ୍କୃତରେ ୯,୧୪୮ ସିଟ୍‌ ରହିଛି।

Share