ବଟି ମାଗି ଧରାପଡ଼ିଲେ ୩ ନକଲି ଖବରଦାତା

ବରଗଡ଼ ଅଫିସ୍‌/ଅମ୍ବାଭୋନା,୨୭।୫: ବରଗଡ଼ ଜିଲା ଅମ୍ବାଭୋନା ଥାନା ଅଞ୍ଚଳର ବିଭିନ୍ନ ପଞ୍ଚାୟତକୁ ଯାଇ ସ୍ଥାନୀୟ ଯୋଗାଣ ସହାୟକଙ୍କୁ ଧମକ ଦେଇ ବଟି ମାଗୁଥିବା ୩ ଜଣ ନକଲି ଖବରଦାତାଙ୍କୁ ଗୁରୁବାର ଗ୍ରାମବାସୀ ଧରିଛନ୍ତି । ସେମାନେ ହେଲେ, ପଦ୍ମପୁର ବ୍ଲକ କନସିଂହା ନିବାସୀ ଆଶିଷ କୁମାର ଭୋଇ, ଗାଇସିଲେଟ ବ୍ଲକ କେନ୍ଦୁଢ଼ିପା ନିବାସୀ ବିଶ୍ୱପତି ସାହୁ ଏବଂ ବରାମୁଣ୍ଡା ନିବାସୀ ଭାଗୀରଥି ଭୋଇ । କପାଶିରା ସରପଞ୍ଚ ବିଷ୍ଣୁ ପ୍ରଧାନଙ୍କ ଏତଲା କ୍ରମେ ପୋଲିସ ସେମାନଙ୍କ ବିରୋଧରେ ଏକ ମାମଲା(୭୯।୨୧) ରୁଜୁ କରିଛି। ବରଗଡ଼ ଏସଡ଼ିପିଓ ଦୀପକ କୁମାର ଗୋଚ୍ଛାୟତ ଅମ୍ବାଭୋନା ଥାନାକୁ ଯାଇ ସେଠାରେ ଅଟକ ଥିବା ଉପରୋକ୍ତ ଅଭିଯୁକ୍ତଙ୍କୁ ପଚରାଉଚୁରା କରୁଛନ୍ତି ।
ପ୍ରକାଶ ଯେ, ଉପରୋକ୍ତ ଅଭିଯୁକ୍ତମାନେ ଗତ କିଛି ଦିନ ହେଲା, ଅମ୍ବାଭୋନା ବ୍ଳକର ରୁଚିଦା, ବାଞ୍ଜିପାଲି, ଅମ୍ବାଭୋନା, କପାଶିରା ଆଦି ପଞ୍ଚାୟତ ଅଫିସକୁ ଆସୁଥିଲେ । ନିଜକୁ ଏକ ନ୍ୟୁଜ ପୋର୍ଟାଲ ଖବରଦାତା ପରିଚୟ ଦେଉଥିଲେ। ଏପରି କି ପଞ୍ଚାୟତର ଯୋଗାଣ ସହାୟକଙ୍କୁ ଧମକଚମକ୍‌ ଦେଇ ବଟି ଆଦାୟ କରୁଥିଲେ । ତେବେ ଗୁରୁବାର ଅଭିଯୁକ୍ତମାନେ କପାଶିରା ପଞ୍ଚାୟତକୁ ପହଞ୍ଚି ସ୍ଥାନୀୟ ଯୋଗାଣ ସହାୟକଙ୍କୁ ବଟି ମାଗୁଥିବା ବେଳେ ଗ୍ରାମବାସୀ ସେମାନଙ୍କୁ ଧରି ପୋଲିସରେ ଜିମା ଦେଇଥିଲେ । ପରେ ସରପଞ୍ଚ ପ୍ରଧାନ ଥାନାରେ ଏତଲା ଦେଇଥିଲେ । ପୋଲିସ ଏ ନେଇ ଅଧିକ ତଦନ୍ତ କରୁଛି।

Share