ମହାକାଳପଡ଼ା,୧୬ା୭(ଡି.ଏନ.ଏ.): ପୂର୍ଣ୍ଣିମା ଯୋଗୁ ସାମୁଦ୍ରିକ ଜୁଆରରେ ପାଣି କୂଳ ଲଙ୍ଘିଛି। ଫଳରେ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ବତୀଘର ପଞ୍ଚାୟତ ଟୁବି ଫେରିଘାଟ-ବତୀଘର ମୁଖ୍ୟରାସ୍ତାର ପ୍ରସ୍ତାବିତ ସରଂକ୍ଷିତ ଜଙ୍ଗଲ ନିକଟରେ ସମୁଦ୍ର ଜଳ ପ୍ରବେଶ କରି ରାସ୍ତାରେ ୩ ଫୁଟ୍ ଉଚ୍ଚତାରେ ପାଣି ପ୍ରବାହିତ ହେଉଛି। ଏଥିଯୋଗୁ ପଥଚାରୀ, ବାଇକ୍ ଆରୋହୀ, ଛାତ୍ରୀଛାତ୍ରଙ୍କ ଯାତାୟାତରେ ବାଧାପ୍ରାପ୍ତ ହେଉଛି। ଏହି ପାଣିସ୍ରୋତରେ ଛାତ୍ରୀଛାତ୍ର ବିଦ୍ୟାଳୟ ଯିବାକୁ ଭୟ କରୁଛନ୍ତି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ସୂଚନାଯୋଗ୍ୟ, ଉକ୍ତ ଘାଇ ହୋଇଥିବା ସ୍ଥାନରେ ବାରମ୍ବାର ବାଲିବସ୍ତା ପକାଯାଉଥିଲେ ମଧ୍ୟ କୌଣସି ସୁଫଳ ମିଳୁନି। ପ୍ରତିବର୍ଷ ଅସରାଏ ବର୍ଷା ହେଉ କି ସାମୁଦ୍ରିକ ଜୁଆର ଦ୍ୱାରା ରାସ୍ତାର ଅବସ୍ଥା ସମ୍ପୂର୍ଣ୍ଣ ବେହାଲ ହୋଇପଡ଼ୁଛି। ଏହି ରାସ୍ତା ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନ ହୋଇଥିଲେ ମଧ୍ୟ ଅଧିକାରୀ ଦୃଷ୍ଟି ଦେଉ ନ ଥିବା ସାଧାରଣରେ ଦାବି ହେଉଛି।