ଭବାନୀପାଟଣା,୧୫।୮(ସ୍ବ.ପ୍ର.): ଲଘୁଚାପ ପ୍ରଭାବରେ କଳାହାଣ୍ଡି ଜିଲାରେ ୩ ଦିନ ହେଲା ଲଗାଣ ବର୍ଷା ଜାରି ରହିଛି। ଏପରି ସ୍ଥିତିରେ ଜୁନାଗଡ଼ ବ୍ଲକ ବଣ୍ଡାକୁଟା ନିକଟସ୍ଥ ହାଲେର ଯୋର ଆପ୍ରୋଚ ପୋଲ ଉପରେ ସୋମବାର ସକାଳୁ ୩ ଫୁଟରୁ ଅଧିକ ପାଣି ଚାଲୁଥିବା ଦେଖିବାକୁ ମିଳିଛି। ବର୍ଷା ଲାଗି ରହିଥିବାରୁ ପାଣି ବଢ଼ିବା ଆଶଙ୍କା ରହିଛି।
ଅନ୍ୟପକ୍ଷେ ଆପ୍ରୋଚ ପୋଲ ଉପରେ ପାଣି ଚାଲିବା ପରେ ଜୁନାଗଡ଼-ଧର୍ମଗଡ଼ ଜାତୀୟ ରାଜପଥ ୧୩୦(ସି) ମୁଖ୍ୟ ରାସ୍ତାରେ ଏବେ ଯାତାୟାତ ବାଧାପ୍ରାପ୍ତ ହୋଇଛି। ପ୍ରକାଶ ଯେ, ହାଲେର ଯୋର ଉପରେ ନିର୍ମାଣ ହେଉଥିବା ପୋଲ କାମ ଅଧାପନ୍ତରିଆ ହୋଇ ରହିଛି। ଫଳରେ ସେଠାରେ ନିର୍ମାଣ କରାଯାଉଥିବା ଆପ୍ରୋଚ ପୋଲ ଉପରେ ମାସକ ମଧ୍ୟରେ ୫ ଥର ବର୍ଷା ପାଣି ପ୍ରବାହିତ ହେଲାଣି। ଏହି ସମୟରେ ଯାତାୟାତ ସମ୍ପୂର୍ଣ୍ଣ ବନ୍ଦ ରହୁଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।