ଏନ୍‌ଏଚ୍‌ ଉପରେ ୩ଫୁଟ୍‌ ପାଣି

ସମ୍ବଲପୁର,୧୦ା୮(ବ୍ୟୁରୋ): ସମଗ୍ର ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଲାଗିରହିଛି। ଲଗାଣ ବର୍ଷା ଯୋଗୁ ସମ୍ବଲପୁର ଜିଲାରେ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଛି। ଚାଷୀ କୁଳକୁ ଆସ୍ବସ୍ତି ମିଳିଥିଲେ ବି ବର୍ଷା ଲାଗିରହିଥିବାରୁ ଚାଷକାର୍ଯ୍ୟ ଠପ୍‌ ହୋଇପଡ଼ିଛି। ଅନେକ ସ୍ଥାନରେ ଜନ ନିଷ୍କାସନ ବ୍ୟବସ୍ଥା ନ ଥିବାରୁ ରାସ୍ତା ବୁଡିରହିଛି। ସମ୍ବଲପୁର-ବରଗଡ଼ ୫୩ନଂ. ଜାତୀୟ ରାଜପଥର ଅଇଁଠାପାଲି ଛକ ନିକଟରେ ୩ଫୁଟ ଉଚ୍ଚର ପାଣି ଜମିରହିଥିଲା। ଡ୍ରେନ୍‌ ସମସ୍ୟା ଯୋଗୁ ବର୍ଷାପାଣି ନିଷ୍କାସନ ହୋଇ ନ ପାରି ଲପରି ସମସ୍ୟା ସୃଷ୍ଟି ହୋଇଛି। ଫଳରେ ଜାତୀୟ ରାଜପଥରେ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା। ଉଭୟ ପାର୍ଶ୍ୱରେ କିଛି ସମୟ ପର୍ଯ୍ୟନ୍ତ ଗାଡ଼ିଗୁଡ଼ିକ ଅଟକି ରହିଥିଲା। ତଳି ଅଞ୍ଚଳ ବିଶେଷକରି ତଅଁଲାପଡ଼ା, ଦୁର୍ଗାପାଲି, ବାଲିବନ୍ଧା, ଦାନିପାଲି, ଠାକୁରପଡ଼ା, ବରେଇପାଲି, ରେମେଡ୍‌, କ୍ଷେତରାଜପୁରଠାରେ ପାଣି ଜମିରହିଥିବାରୁ ଲୋକେ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଡ୍ରେନ୍‌ଗୁଡ଼ିକ ସଫା ନ ହେବାରୁ ସହରର ମୁଖ୍ୟ ରାସ୍ତାଗୁଡ଼ିକରେ ମଧ୍ୟ ପାଣି ଜମି ରହିଥିଲା। ମୁଦିପଡ଼ା, ଲକ୍ଷ୍ମୀଟକିଜ ଛକ, ଗୋଲବଜାର ଛକ, ଅଇଁଠାପାଲିଠାରୁ ବୁଢ଼ାରଜା ରାସ୍ତାରେ ପାଣି ପ୍ରବାହିତ ହୋଇଥିଲା।

Share