୩ ମହିଳା ସ୍ବାସ୍ଥ୍ୟକର୍ମୀଙ୍କୁ ମାଓବାଦୀଙ୍କ ଅପହରଣ

ମାଲକାନଗିରି, ୧୦।୪(ଡି.ଏନ୍‌.ଏ.): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ସୁକ୍‌ମା-ବିଜାପୁର ସୀମାନ୍ତବର୍ତ୍ତୀ ଜଙ୍ଗଲରେ ମାଓବାଦୀ-ପୋଲିସ ଗୁଳି ବିନିମୟରେ ଗତ ଶନିବାର ୨୨ ସୁରକ୍ଷା କର୍ମୀ ନିହତ ହୋଇଥିଲେ। ଏହି ସମୟରେ ମାଓବାଦୀମାନେ ଯବାନ ରାକେଶ୍ୱର ସିଂ ମନହାସ୍‌ଙ୍କୁ ଅପହରଣ କରି ନେଇଥିଲେ। ଗୁରୁବାର ରାକେଶ୍ୱରଙ୍କୁ ପ୍ରଜାକୋର୍ଟ ବସାଇ ମାଓବାଦୀମାନେ ଛାଡ଼ିଦେଇଥିଲେ। ଏହାର ୨୪ ଘଣ୍ଟା ନ ପୂରୁଣୁ ମାଓବାଦୀମାନେ ୩ ମହିଳା ସ୍ବାସ୍ଥ୍ୟକର୍ମୀଙ୍କୁ ଅପହରଣ କରି ନେଇଛନ୍ତି। ମାଲକାନଗିରି ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲାରେ ଏପରି ଘଟଣା ଘଟିଛି। ଖବରରୁ ଜଣାପଡ଼ିଛି, ଏହି ୩ ମହିଳା ସ୍ବାସ୍ଥ୍ୟକର୍ମୀ କାର୍ଯ୍ୟ କରୁଥିବା ସ୍ବାସ୍ଥ୍ୟକେନ୍ଦ୍ରରୁ ବିଜାପୁର ଜିଲା ଗାଙ୍ଗୁଲୁର ଥାନା ଅନ୍ତର୍ଗତ କମକାନାର ଗ୍ରାମକୁ ଶିଶୁମାନଙ୍କ ସ୍ବାସ୍ଥ୍ୟାବସ୍ଥା ତଦାରଖ ସହ ମହିଳା ଓ ଗର୍ଭବତୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରି ଔଷଧ ପ୍ରଦାନ ଲାଗି ଯାଉଥିଲେ। ଏହି ସମୟରେ କମକାନାରଠାରୁ ୨୦/୨୫ ଜଣ ସଶସ୍ତ୍ର ମାଓବାଦୀ ସେମାନଙ୍କୁ ଅପହରଣ କରି ନେଇଛନ୍ତି। ଏମାନଙ୍କୁ ପୋଲିସ ସୂଚନାଦାତା ସନ୍ଦେହରେ ମାଓବାଦୀମାନେ ଧରିନେଇ ଅଟକ ରଖିଥିବା ଜଣାପଡ଼ିଛି। ଏ ସମ୍ପର୍କରେ ଖବର ପାଇ ବିଜାପୁର ପୋଲିସ ଘଟଣା ଉପରେ ନଜର ରଖିଛି। ସମ୍ପୃକ୍ତ ମହିଳା ସ୍ବାସ୍ଥ୍ୟକର୍ମୀମାନଙ୍କୁ କିପରି ଉଦ୍ଧାର କରାଯିବ ସେନେଇ ତନାଘନା ଆରମ୍ଭ ହୋଇଥିବା ଏସ୍‌ପି କମଲଲୋଚନ କାଶ୍ୟପ୍‌ କହିଛନ୍ତି।