Categories: ଜାତୀୟ

କାନପୁର ହିଂସା: ୩୬ ଜଣ ଚିହ୍ନଟ, ୩ ଏଫଆଇଆର

କାନପୁର,୪ ।୬: ଉତ୍ତର ପ୍ରଦେଶର କାନପୁରରେ ଶୁକ୍ରବାର ଜୁମେ ନମାଜ ପରେ କିଛି ଅଞ୍ଚଳରେ ହିଂସା ପରିସ୍ଥିିତି ସୃଷ୍ଟି ହୋଇଥିଲା । ଦୁଇ ସମ୍ପ୍ରଦାୟର ଲୋକଙ୍କ ମଧ୍ୟରେ ପଥର ଫିଙ୍ଗା ଆରମ୍ଭ ହୋଇ ଯାଇଥିଲା । ସ୍ଥିତିକୁ ନିୟନ୍ତ୍ରଣକୁ ଆଣିବାକୁ ହିଂସାଗ୍ରସ୍ତ ଅଞ୍ଚଳରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଶୁକ୍ରବାର ଏହି ମାମଲାରେ ୧୮ ଜଣଙ୍କୁ ଗିରଫ କରାଯାଇଛି । ଏହାସହ ଏବେ ପର୍ଯ୍ୟନ୍ତ ୩ଟି ଏଫଆଇଆର ଦିଆଯିବା ସହ ୩୬ ଜଣଙ୍କୁ ଚିହ୍ନଟ କରାଗଲାଣି ।
କାନପୁର ସ୍ଥିତିକୁ ନେଇ ପୋଲିସ କମିଶନର ବିଜୟ ସିଂ ମିଣା କହିଛନ୍ତି ଏବେ ସ୍ଥିତି ସାମାନ୍ୟ ରହିଛି । ୩ଟି ଏଫଆଇଆର ସହ ୩୬ ଜଣଙ୍କୁ ଚିହ୍ନଟ କରାଯାଇଛି । ଏହାସହ ଆମକୁ ହସ୍ତଗତ ହୋଇଥିବା ଫଟୋ ଆଧାରରେ ଅନ୍ୟମାନଙ୍କୁ ଗିରଫ କରାଯିବାକୁ ଚେଷ୍ଟା କରାଯାଉଛି ।
ସୂଚନାଯୋଗ୍ୟ, ମୁସଲମାନ ସମ୍ପ୍ରଦାୟର କେତେଜଣ ଲୋକେ ଭାରତୀୟ ଜନତା ପାର୍ଟି(ଭାଜପା) ପ୍ରବକ୍ତା ନୁପୁର ଶର୍ମାଙ୍କୁ ବିରୋଧ କରି ଦୋକାନ ବନ୍ଦ କରିବାକୁ ଚାହୁଁଥିଲେ । ଏହିଥିରୁ ହିଁ ବିବାଦ ମୁଣ୍ଡ ଟେକିଥିଲା । ପରେ ବହୁ ସଂଖ୍ୟାରେ ଲୋକେ ରାସ୍ତାରେ ଜମା ହୋଇଯିବା ସହ ପଥର ଫିଙ୍ଗା ଆରମ୍ଭ ହୋଇ ପରିସ୍ଥିତି ହିଂସାର ରୂପ ନେଇଥିଲା ।

Share