ପ୍ରକାଶ ପାଇଲା ଯୁକ୍ତ ୩ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା

ଭୁବନେଶ୍ୱର,୧୫ା୭(ଅନୁରାଧା ମହାରଣା): ଯୁକ୍ତ ୩ ପ୍ରଥମ ବର୍ଷ କଳା, ବିଜ୍ଞାନ ଓ ବାଣିଜ୍ୟ ଓ ସେଲ୍ଫ ଫାଇନାନ୍‌ସିଂରେ ନାମଲେଖା ପାଇଁ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ଶୁକ୍ରବାର ପ୍ରକାଶ ପାଇଛି। ୨୦୨୩-୨୪ ଶିକ୍ଷାବର୍ଷରେ ରାଜ୍ୟର ୧୦୪୨ଟି ଡିଗ୍ରୀ କଲେଜର ୨ ଲକ୍ଷ ୭୦ହଜାର ୨୪୨ ସିଟ୍‌ ରହିଛି। ତେବେ ୨ ଲକ୍ଷ ୨୩ ହଜାର ୩୧୦ଜଣ ଛାତ୍ରୀଛାତ୍ର ଅନଲାଇନ୍‌ ପଞ୍ଜିକରଣ କରିଥିବାବେଳେ ପ୍ରଥମ ପର୍ଯ୍ୟାୟରେ ନାମ ଲେଖାଇବାକୁ ୧ଲକ୍ଷ ୭୪ହଜାର ୧୯୫ଜଣ ମନୋନୀତ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୧ଲକ୍ଷ ୫୭ ହଜାର ୧୦୩ ଜଣ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚଏସଇ) ପରିଚାଳିତ ଦ୍ୱାଦଶ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି।
କଳାରେ ସର୍ବାଧିକ ୧ଲକ୍ଷ ୪୯ ହଜାର ୧୮୫ଜଣ ଆବଦେନ କରିଥିବାବେଳେ ୧ଲକ୍ଷ ୮ ହଜାର ୪୮୩ଜଣ ମନୋନୀତ ହୋଇଛନ୍ତି। ବାଣିଜ୍ୟରେ ୧୯ ହଜାର ୯୮୩ ଜଣ ଆବେଦନ କରିଥିବାବେଳେ ୧୭ ହଜାର ୨୧୭ ଜଣ ମନୋନୀତ ହୋଇଛନ୍ତି। ସେହିପରି ଫିଜିକାଲ ସାଇନ୍ସରେ ୩୯ ହଜାର ୯୮୨ଜଣ ଆବେଦନ କରିଥିବାବେଳେ ୨୪ ହଜାର ୩୩୯ଜଣ ମନୋନୀତ ହୋଇଛନ୍ତି। ଅନ୍ୟପଟେ ବାୟୋଲୋଜିକାଲ ସାଇନ୍ସରେ ୪୦ ହଜାର ୨୪୦ଜଣ ଆବେଦନ କରିଥିବାବେଳେ ୧୮ହଜାର ୯୧୯ ଜଣ ମନୋନୀତ ହୋଇଛନ୍ତି। ସେଲ୍ଫ ଫାଇନାନ୍ସିଂରେ ୬ ହଜାର ୭୭୧ଜଣ ଆବେଦନ କରିଥିବାବେଳେ ୧ହଜାର ୩୬୭ ଜଣ ମନୋନୀତ ହୋଇଛନନ୍ତି। ଉପଶାସ୍ତ୍ରୀ ବିଭାଗରେ ୫ ହଜାର ୬୭ ଜଣ ଆବେଦନ କରିଥିବାବେଳେ ୩ ହଜାର ୮୭୦ ଜଣ ମନୋନୀତ ହୋଇଛନ୍ତି। ତେବେ ପ୍ରକାଶ ପାଇଥିବା କଟଅଫ୍‌ ମାର୍କ ଆଧାରରେ କଳା ବିଭାଗରେ ବାଲେଶ୍ୱରସ୍ଥିତ ଫକୀରମୋହନ ବିଶ୍ୱବିଦ୍ୟାଳୟ ଓ ବାରିପଦାସ୍ଥିତ ମହାରାଜା ପୂର୍ଣ୍ଣଚନ୍ଦ୍ର ଡିଗ୍ରୀ କଲେଜ ପିଲାଙ୍କ ପ୍ରଥମ ପସନ୍ଦ ରହିଛି। ବିଏବିଏଡ୍‌. ରାଜନୀତି ବିଜ୍ଞାନ ସମ୍ମାନରେ ସର୍ବାଧିକ ୯୧.୮୩ ପ୍ରତିଶତ କଟଅଫ୍‌ ମାର୍କ ସହ ଉଭୟ ଶିକ୍ଷାନୁଷ୍ଠାନ ଶୀର୍ଷରେ ରହିଛି। ଫିଜିକାଲ ସାଇନ୍ସ(ବିଏସ୍‌ସି ବିଏଡ୍‌. ରସାୟନ ବିଜ୍ଞାନ ସମ୍ମାନ)ରେ ୯୪.୫୦ ପ୍ରତିଶତ କଟ୍‌ ଅଫ୍‌ ମାର୍କ ସହିତ ଓ ବାୟୋଲୋଜିକାଲ ସାଇନ୍ସ(ବିଏସ୍‌ସି ବିଏଡ୍‌. ଉଦ୍ଭିଦ ବିଜ୍ଞାନ ସମ୍ମାନ)ରେ ୯୫.୬୦ ପ୍ରତିଶତ କଟଅଫ୍‌ ମାର୍କ ସହ ପୁରୀ ସାମନ୍ତ ଚନ୍ଦ୍ରଶେଖର(ଏସ୍‌ସିଏସ୍‌) କଲେଜ ଶୀର୍ଷରେ ରହିଛି। ତେବେ ବାଣିଜ୍ୟରେ ୮୬.୮୩ କଟଅଫ୍‌ ମାର୍କ ସହ ରେଭେନ୍‌ଶା ବିଶ୍ୱ ବିଦ୍ୟାଳୟ ପିଲାଙ୍କ ପ୍ରଥମ ପସନ୍ଦ ରହିଛି। ସେହିପରି ଉପଶାସ୍ତ୍ରୀ ବିଭାଗ(ସର୍ବଦର୍ଶନ)ରେ ଦଶପଲ୍ଲା ମଧ୍ୟଖଣ୍ଡସ୍ଥିତ ପ୍ରଦୀପ୍ତ ରାୟ ସଂସ୍କୃତ ଡିଗ୍ରୀ କଲେଜ ୬୯.୪୩ ପ୍ରତିଶତ ଓ ସେଲ୍ଫ ଫାଇନାନ୍ସିଂରେ ବକ୍ସି ଜଗବନ୍ଧୁ ବିଦ୍ୟାଧର(ବିଜେବି) କଲେଜ ୯୦.୪୦ ପ୍ରତିଶତ କଟ୍‌ଅଫ୍‌ ମାର୍କ ସହ ପିଲାଙ୍କ ପ୍ରଥମ ପସନ୍ଦ ରହିଛି। ସୂଚନାଯୋଗ୍ୟ, ୨ୟ ପର୍ଯ୍ୟାୟ ମେଧା ତାଲିକା ଜୁଲାଇ ୨୭ ତାରିଖରେ ଏବଂ ଅଗଷ୍ଟ ୯ ତାରିଖରେ ତୃତୀୟ ପର୍ଯ୍ୟାୟ ନାମଲେଖା ପାଇଁ ତାଲିକା ପ୍ରକାଶ ପାଇବ।

Share