ମୁମ୍ବାଇ,୨୩।୪ : ପଳାତକ ହୀରା ବ୍ୟବସାୟୀ ନୀରବ ମୋଦିଙ୍କ ସମୁଦ୍ର ମହଲ ବର୍ଲିରେ ଜବତ ହୋଇଥିବା ତିନିଟି ବିଳାସପୂର୍ଣ୍ଣ ଫ୍ଲାଟକୁ ନେଇ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଦ୍ୱନ୍ଦ୍ୱରେ ପଡିଛି। କିଛି ଆଇନଗତ ପ୍ରତିବନ୍ଧକ ଯୋଗୁ ଇଡି ଏସବୁର ନିଲାମରୁ ଆନୁମାନିକ ବଜାର ମୂଲ୍ୟ ପ୍ରାୟ ୧୧୦ କୋଟି ଟଙ୍କା ପାଇବାର ମଧ୍ୟ ସମ୍ଭାବନା ନାହିଁ। କେବଳ ଏତିକି ନୁହେଁ, ଇଡି ସୂତ୍ର ଅନୁଯାୟୀ, ମହଙ୍ଗା ଘରୋଇ ସାମଗ୍ରୀ ଏବଂ ତୈଳଚିତ୍ର ସହିତ ଫ୍ଲାଟଗୁଡିକର ସରକାରୀ ରକ୍ଷଣାବେକ୍ଷଣ ମଧ୍ୟ ଏକ ବ୍ୟବହାରିକ ବିକଳ୍ପ ନୁହେଁ।
ନୀରବ ମୋଦି ଦେଶ ଛାଡି ପଳାଇବା ପରେ ଗତ ପାଞ୍ଚ ବର୍ଷ ଧରି ସମୁଦ୍ର ମୁହାଁ ଏହି ଫ୍ଲାଟଗୁଡିକ ତାଲା ପଡିଛି। ସମସ୍ତ ତିନୋଟି ଫ୍ଲାଟକୁ ଗେଷ୍ଟହାଉସରେ ପରିଣତ କରିବା ପାଇଁ ବିପୁଳ ଖର୍ଚ୍ଚ ଏବଂ ମାସିକ ରକ୍ଷଣାବେକ୍ଷଣ ଅର୍ଥ ଆବଶ୍ୟକ ହେବ। ପଞ୍ଚ ତାରକା ହୋଟେଲରେ ରହିବା ଅପେକ୍ଷା ଏଠାରେ ରହିବା ମହଙ୍ଗା ହେବ। ସୂତ୍ରରୁ ପ୍ରକାଶ, ଘରର ସାମଗ୍ରୀ, ବାସନ ଏବଂ ତୈଳଚିତ୍ରର ନିରାପତ୍ତା ସୁନିଶ୍ଚିତ କରିବାବେଳେ ସମ୍ପତ୍ତିର ନବୀକରଣ ଏବଂ ରକ୍ଷଣାବେକ୍ଷଣରେ କୌଣସି ସରକାରୀ କର୍ମଚାରୀ ବ୍ୟକ୍ତିଗତ ଆଗ୍ରହ ପ୍ରକାଶ କରିବେ ନାହିଁ।