Categories: ଖେଳ

ଅନ୍ତିମ ଦିବସରେ ଓଡ଼ିଶାକୁ ୩ ସ୍ବର୍ଣ୍ଣ ପଦକ

ଭୁବନେଶ୍ୱର, ୧୬ା୧୧(ସ୍ପୋଟର୍‌ସ ବ୍ୟୁରୋ): ଆସାମର ଗୁଆହାଟୀଠାରେ ଚାଲିଥିବା ୩୭ତମ ଜାତୀୟ ଜୁନିୟର ଆଥଲେଟିକ୍ସ ଚାମ୍ପିୟନଶିପ୍‌ ୨୦୨୨ର ଅନ୍ତିମ ଦିବସରେ ଓଡ଼ିଶା ୩ ସ୍ବର୍ଣ୍ଣ ପଦକ ହାସଲ କରିଛି। ମଙ୍ଗଳବାର ୧୮ବର୍ଷ ବୟସ ବର୍ଗ ୮୦୦ ମିଟର ଦୌଡ଼ ରେସ୍‌ରେ ଓଡ଼ିଶାର ଲକ୍ଷ୍ମୀପ୍ରିୟା କିଷାନ ୨ ମିନିଟ ୧୫.୦୮ ସେକେଣ୍ଡ ଟାଇମିଂରେ ସ୍ବର୍ଣ୍ଣ ପଦକ ଜିତିଥିବା ବେଳେ ପଶ୍ଚିମବଙ୍ଗର ମୈମିତା ରୟ (୨ ମିନିଟ ୧୫.୦୮ ସେକେଣ୍ଡ) ରୌପ୍ୟ ଓ ହରିୟାଣାର ଆଶା (୨ ମିନିଟ ୧୬.୫୭ ସେକେଣ୍ଡ) ବ୍ରୋଞ୍ଜ ପଦକ ଲାଭ କରିଛନ୍ତି। ଅନି ସାଲବାମ୍‌ ୧୪ ବର୍ଷ ବୟସ ବର୍ଗ ବାଳକ ୬୦୦ ମିଟର ଦୌଡ଼ ୧ ମିନିଟ୍‌ ୨୪.୦୧ ସେକେଣ୍ଡ ଟାଇମିଂରେ ଶେଷ କରି ଓଡ଼ିଶା ପାଇଁ ଆଉ ଏକ ସ୍ବର୍ଣ୍ଣ ଜିତିଥିଲେ। ଉତ୍ତରାଖଣ୍ଡର ସୁରଜ ସିଂଙ୍କୁ ରୌପ୍ୟ ଓ ମହାରାଷ୍ଟ୍ରର ରଣବୀର ଫରକ ବ୍ରୋଞ୍ଜ ପାଇଥିଲେ। ସୁସ୍ମିତା ଟିଗା ୨୦ ବର୍ଷ ବୟସ ବର୍ଗ ବାଳିକା ୩,୦୦୦ ମିଟର ଷ୍ଟିପଲଚେଜ୍‌ରେ ୧୧ ମିନିଟ ୨.୩୧ ସେକେଣ୍ଡ ଟାଇମିଂ ସହ ପ୍ରଥମ ସ୍ଥାନ ଅଧିକାର କରି ଓଡ଼ିଶା ପାଇଁ ଆଉ ଏକ ସ୍ବର୍ଣ୍ଣ ଜିତିଥିଲେ।ରାଜସ୍ଥାନର ନିକିତା ଓ ମହାରାଷ୍ଟ୍ରର ଶ୍ରଦ୍ଧା ଯଥାକ୍ରମେ ରୌପ୍ୟ ଓ ବ୍ରୋଞ୍ଜ ହାସଲ କରିଥିଲେ। ଚାମ୍ପିୟନଶିପ୍‌ରେ ଓଡ଼ିଶା ମୋଟ ୧୦ ସ୍ବର୍ଣ୍ଣ, ୩ ରୌପ୍ୟ ଓ ଗୋଟିଏ ବ୍ରୋଞ୍ଜ ପଦକ ଲାଭ କରିପାରିଛି। ଏହି ପରିପ୍ରେକ୍ଷୀରେ ଓଡ଼ିଶା ଆଥଲେଟିକ୍ସ ଆସୋସିଏଶନ ସଭାପତି ଜି. ଶ୍ରୀନିବାସ ପଟ୍ଟନାୟକ ଓ ସମ୍ପାଦକ ଆଶୀର୍ବାଦ ବେହେରା ଏବଂ ଆସୋସିଏଶନର ଅନ୍ୟକର୍ମକର୍ତ୍ତାମାନେ ପଦକ ବିଜେତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

Share