Categories: ଖେଳ

ଭାବିନା ପଟେଲଙ୍କୁ ୩ ସ୍ବର୍ଣ୍ଣ

ନୂଆଦିଲ୍ଲୀ,୧।୩: ଇଜିପ୍ଟର ଗିଜାରେ ଅନୁଷ୍ଠିତ ଇଜିପ୍ଟ ପାରା ଟେବୁଲ ଟେନିସ ଓପନରେ ଭାରତର ଭାବିନା ହସମୁଖ ଭାଇ ପଟେଲ ୩ ସ୍ବର୍ଣ୍ଣ ବିଜୟୀ ହୋଇଛନ୍ତି। ସୋମବାର ଉଦ୍‌ଯାପିତ ଏହି ଟୁର୍ନାମେଣ୍ଟର ମହିଳା ସିଙ୍ଗଲ୍ସ, ଡବଲ୍ସ ଓ ମିକ୍ସଡ ଡବଲ୍ସ ବର୍ଗରେ ସେ ସ୍ବର୍ଣ୍ଣ ବିଜୟୀ ହୋଇଛନ୍ତି। ଟୋକିଓ ପାରାଲିମ୍ପିକ୍ସ ରୌପ୍ୟ ପଦକ ବିଜୟିନୀ ଭାବିନା ମହିଳା ସିଙ୍ଗଲ୍ସ କ୍ଲାସ୍‌ ୩-୫ରେ ଅନ୍ୟତମ ଭାରତୀୟ ଖେଳାଳି ସୋନଲବେନ ମନୁଭାଇ ପଟେଲଙ୍କୁ ୧୩-୧୧, ୧୧-୬ ଓ ୧୩-୧୧ରେ ପରାସ୍ତ କରିଥିଲେ। ଏହାପରେ କ୍ଲାସ୍‌ ୧୦ର ଡବଲ୍ସ ମୁକାବିଲାରେ ସୋନଲଙ୍କୁ ସାଥୀ କରି ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ଏହା ପରେ ଭାବିନା ମିକ୍ସଡ ଡବଲ୍ସରେ ଜଶ୍ୟନ୍ତ ଦଲସାଙ୍ଗଭାଇ ଚୌଧାରୀଙ୍କୁ ସାଥୀ କରି ତୃତୀୟ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ଇଜିପ୍ଟରେ ବିଗତ ବର୍ଷ କ୍ଲାସ୪-୫ରେ ଭାବିନା ଓ କ୍ଲାସ୍‌ ୨-୩ରେ ସୋନାଲ ସ୍ବର୍ଣ୍ଣ ପଦକ ଜିତିଥିଲେ।

Share