Categories: ଜାତୀୟ

ଅନାସ୍ଥା ଭାଙ୍ଗିଥିଲା ୩ ସରକାର

ନୂଆଦିଲ୍ଲୀ,୨୭ା୭: ଅତୀତରେ ଲୋକ ସଭାରେ ୨୭ ଥର ଅନାସ୍ଥା ପ୍ରସ୍ତାବ ଆଗତ ହୋଇଥିଲା। ସେଗୁଡ଼ିକ ଗୃହରେ କାଟ୍‌ ଖାଇଥିଲା ଅଥବା ଅମୀମାଂସିତ ରହିଥିଲା। କିନ୍ତୁ ୩ ଥର ଭୋଟିଂ ବେଳେ ସରକାର ନିଜ ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେଇ ପାରି ନ ଥିଲେ। ଫଳରେ ସରକାର ଭାଙ୍ଗିଯାଇଥିଲା। ପିଆର୍‌ଏସ୍‌ ଲେଜିସ୍‌ଲେଟିଭ୍‌ ରିସର୍ଚ୍ଚ ତଥ୍ୟାନୁସାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ନେତୃତ୍ୱାଧୀନ ସରକାର ବିରୋଧରେ ସର୍ବାଧିକ ୧୫ ଥର ଅନାସ୍ଥା ପ୍ରସ୍ତାବ ଆଗତ କରାଯାଇଥିଲା।
୧୯୭୯ରେ ମୋରାରଜୀ ଦେଶାଇ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆସିଥିବାବେଳେ ବିତର୍କ ଶେଷ ହୋଇପାରି ନ ଥିଲା ଏବଂ ଭୋଟିଂ ମଧ୍ୟ ହୋଇ ନ ଥିଲା। ଏହା ସତ୍ତ୍ୱେ ସରକାର ଭାଙ୍ଗିଯାଇଥିଲା। ସେହିପରି ୧୯୯୦ରେ ଭି.ପି. ସିଂ, ୧୯୯୭ରେ ଏଚ୍‌.ଡି. ଦେବେଗୌଡ଼ା ଏବଂ ୧୯୯୯ରେ ଅଟଳ ବିହାରୀ ବାଜପେୟୀଙ୍କ ସରକାର ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେଇ ପାରି ନ ଥିଲେ। ଏହି ୩ ସରକାର ଅନାସ୍ଥା ପ୍ରସ୍ତାବ ଯୋଗୁ ଭାଙ୍ଗିଯାଇଥିଲା।

Share