୩ ଦିବ୍ୟାଙ୍ଗଙ୍କ ଓଠରେ ଫୁଟିଲା ହସ

ଖୋର୍ଦ୍ଧା,୧୪ା୯(ପ୍ରଭାତ ପାଣିଗ୍ରାହୀ)ମାନବିକତା ଦେଖାଇଛନ୍ତି ଖୋର୍ଦ୍ଧା ଉପଜିଲାପାଳ ଦିପ୍ତୀରଞ୍ଜନ ସେଠୀ। ସେ ୩ ଦିବ୍ୟାଙ୍ଗଙ୍କୁ ସହଯୋଗ ଯୋଗାଇଦେଇଛନ୍ତି। ଫଳରେ ସେମାନଙ୍କ ମୁହଁରେ ହସ ଫୁଟିଛି। ପେଟ ପୋଷିବା ପାଇଁ ରାସ୍ତାରେ ଗଡ଼ିି ଭିକ୍ଷା ମାଗୁଥିଲେ ଏହି ୩ ଦିବ୍ୟାଙ୍ଗ। ଜଣେ ଦୁଇଗୋଡ଼ ଏବଂ ଆଉ ୨ଜଣ ଗୋଟିଏ ଲେଖାଏ ଗୋଡ଼ ହରାଇ ଥିଲେ। ଦୁଇ ଗୋଡ଼ ହରାଇଥିବା ଦିବ୍ୟାଙ୍ଗ ରାସ୍ତାରେ ଗଡ଼ି ଗଡ଼ି ଚାଲିଥିଲେ। ଏହି ହୃଦୟ ବିଦାରକ ଦୃଶ୍ୟ ଦେଖିବା ପରେ ଉପଜିଲାପାଳ ତୁରନ୍ତ ଗାଡ଼ିରୁ ଓହ୍ଲାଇ ସେମାନଙ୍କୁ କୃତ୍ରିମ ଗୋଡ଼ ଲଗାଇବା ପାଇଁ ଗୁରୁଜଙ୍ଗସ୍ଥିତ ବିଜୁ ମହାବୀର ଜୟପୁର ଫୁଟ ସେଣ୍ଟର (ବିଏମ୍‌ଭିଏସ୍‌ଏସ୍‌)କୁ ପଠାଇଥିଲେ। ସେଠାରେ ଡାକ୍ତରଙ୍କ ଉପଯୁକ୍ତ ଚିକିତ୍ସା ପରେ ସେମାନଙ୍କ ଗୋଡ଼ରେ କୃତ୍ରିମ ଗୋଡ଼ ଲଗାଯାଇଛି। ଜଣଙ୍କର ଦୁଇଟି ଓ ଅନ୍ୟ ଜଣକର ଗୋଟିଏ ଗୋଡ଼ ଲାଗିଥିଲା। ଆଉ ଜଣଙ୍କୁ ଟ୍ରାଇସାଇକେଲ ଦିଆଯାଇଛି। ଏହି ଘଟଣା ସମ୍ପର୍କରେ ଜିଲାପାଳ ନିଜ ଟୁଇଟ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି। ଏହି ଖବର ପ୍ରଚାରିତ ହେବା ପରେ ସବୁଠି ଉପଜିଲାପାଳ ସେଠୀଙ୍କୁ ପ୍ରଶଂସାର ସୁଅ ଛୁଟିଛି।

ସୂଚନା ଅନୁଯାୟୀ, ବାହାର ରାଜ୍ୟର ଏହି ୩ ଦିବ୍ୟାଙ୍ଗ ଖୋର୍ଦ୍ଧା ଚାଲି ଆସିଛନ୍ତି। ଗୋଟିଏ ଗୋଡ଼ ହରାଇଥିବା ଜଣେ ଦିବ୍ୟାଙ୍ଗ ଟ୍ରାଇ ସାଇକଲରେ ବସିଥିବାବେଳେ ଅନ୍ୟ ଜଣେ ତାଙ୍କୁ ପଛପଟୁ ଠେଲି ଠେଲି ନେଉଥିଲେ। ଦୁଇ ଗୋଡ଼ ହରାଇଥିବା ଦିବ୍ୟାଙ୍ଗ ଜଣକ ରାସ୍ତାରେ ଅତି ଦୟନୀୟ ଭାବେ ଗଡ଼ି ଭିକ୍ଷା ମାଗୁଥିଲେ।

ଏହି ସମୟରେ ଉପଜିଲାପାଳ ଦିପ୍ତୀରଞ୍ଜନ ସେଠୀ ନିଜ କାର୍ଯ୍ୟାଳୟରୁ ବାହାରି କୌଣସି କାମରେ ମୁକୁନ୍ଦପ୍ରସାଦ ଯାଉଥିଲେ। ବାଟରେ ଏହି ଦୃଶ୍ୟ ଦେଖି ସେ ଅଟକି ଯାଇଥିଲେ। କାର୍‌ରୁ ଓହ୍ଲାଇ ସେମାନଙ୍କ ନିକଟକୁ ଯାଇଥିଲେ। ସେମାନଙ୍କ ସହ ଆଲୋଚନା କରି ଗୁରୁଜଙ୍ଗସ୍ଥିତ ବିଜୁ ମହାବୀର ଜୟପୁର ଫୁଟ ସେଣ୍ଟରକୁ ପଠାଇଥିଲେ। ସେଠାରେ ସେମାନଙ୍କ କୃତ୍ରିମ ଗୋଡ଼ ଲଗାଯାଇଥିଲା। ଏହାପରେ ୩ ଦିବ୍ୟାଙ୍ଗଙ୍କ ଚକ୍ଷୁ ଆନନ୍ଦାଶ୍ରୁରେ ଭରିଯାଇଥିଲା। ସେମାନେ ଉପଜିଲାପାଳଙ୍କ ସମେତ ବିଏମ୍‌ଭିଏସ୍‌ଏସ୍‌ ଅନୁଷ୍ଠାନକୁ ଧନ୍ୟବାଦ ଜଣାଇଛନ୍ତି।