ଚିକିତ୍ସା କରିବାକୁ ମନା କଲେ ୩ ହସ୍ପିଟାଲ: କରୋନା ଆକ୍ରାନ୍ତ ଦ୍ୱାଦଶ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ

କୋଲକାତା, ୧୨।୭: କରୋନା ମହାମାରୀ ସଂକ୍ରମଣ ଠାରୁ ଲୋକଙ୍କ ମଧ୍ୟରେ ଅଧିକ ଆତଙ୍କ ସୃଷ୍ଟି କରୁଛି ଏହା ପ୍ରତି ଥିବା ଭୟ। ଫଳରେ କେତେକ ରୋଗୀଙ୍କୁ ଠିକ୍‌ ସମୟରେ ଚିକିତ୍ସା ନ ମିଳିପାରିବାରୁ ସେମାନଙ୍କର ମୃତ୍ୟୁ ଘଟୁଛି। ପଶ୍ଚିମବଙ୍ଗ ରାଜଧାନୀ କୋଲକାତାରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି। ଡାଇବେଟିସ୍‌ ସମସ୍ୟା ଥିବା ଜଣେ ୧୮ ବର୍ଷ ବୟସ୍କ ଦ୍ୱାଦଶ ଶ୍ରେଣୀ ଛାତ୍ର ଶୁଭ୍ରଜିତ ଚଟ୍ଟୋପାଧ୍ୟାୟଙ୍କର ନମୁନା ପରୀକ୍ଷା ରିପୋର୍ଟ କରୋନା ପଜିଟିଭ୍‌ ଆସିଥିଲା।  ମାତାପିତା ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବା ଲାଗି ଉଦ୍ୟମ କରିଥିଲେ। ସେମାନେ ୩ଟି ହସ୍ପିଟାଲକୁ ଯାଇଥିଲେ ମଧ୍ୟ ହସ୍ପିଟାଲ କର୍ତ୍ତୃପକ୍ଷ ଶୁଭ୍ରଜିତଙ୍କୁ ଆଡମିଶନ କରିବାକୁ ମନା କରିଦେଇଥିଲେ। ସେମାନେ କୋଲକାତା ମେଡିକାଲ କଲେଜ ଏବଂ ହସପିଟାଲ (କେଏମ୍‌ସିଏଚ୍‌)କୁ ଯାଇଥିଲେ। ହସ୍ପିଟାଲ ପକ୍ଷରୁ ମନା କରାଯାଇଥିଲା। ତେବେ ଶୁଭ୍ରଜିତଙ୍କ ମାତା ଆତ୍ମହତ୍ୟା କରିବାକୁ ଧମକ ଦେବାରୁ ଚିକିତ୍ସା ଆରମ୍ଭ ହୋଇଥିଲା। ଶୁକ୍ରବାର ରାତିରେ ଚିକିତ୍ସିତ ହେଉଥିବା ଅବସ୍ଥାରେ ଶୁୁଭ୍ରଜିତଙ୍କ ମୃତ୍ୟୁ ଘଟିଥିଲା। ଏନେଇ ଶୁଭ୍ରଜିତଙ୍କ ମାତାପିତା ଚିକିତ୍ସାରେ ଅବହେଳା ଅଭିଯୋଗ କରିଛନ୍ତି। ସ୍ବାସ୍ଥ୍ୟ ସେବା ନିର୍ଦ୍ଦେଶକ ଅଜୟ ଚକ୍ରବର୍ତ୍ତୀ କହିଛନ୍ତି ଯେ, ଏହି ଘଟଣାର ତଦନ୍ତ କରାଯିବ। ନିଶ୍ୱାସ ନେବାରେ କଷ୍ଟ ହେବାରୁ ଶୁଭ୍ରଜିତଙ୍କୁ ପ୍ରଥମେ କାମରହାଟିସ୍ଥିତ ଇଏସ୍‌ଆଇ ହସ୍ପିଟାଲକୁ ନିଆଯାଇଥିବା ତାଙ୍କ ମାତା କହିଛନ୍ତି। କିନ୍ତୁ ସେଠାରେ ଆଇସିୟୁରେ କୌଣସି ଶଯ୍ୟା ଖାଲି ନ ଥିବା ହସ୍ପିଟାଲ ପକ୍ଷରୁ କୁହାଯାଇଥିଲା। ଏହାପରେ ଏକ ଘରୋଇ ହସ୍ପିଟାଲରେ ଶୁଭ୍ରଜିତଙ୍କ ନମୁନା ପରୀକ୍ଷା ରିପୋର୍ଟ କରୋନା ପଜିଟିଭ ଆସିଥିଲା। ତେବେ ଶଯ୍ୟାର ଅଭାବ ଥିବା କହି ସେଠାରେ ତାଙ୍କର ଚିକିତ୍ସା କରାଯାଇ ନ ଥିଲା। ଏହାପରେ ସାଗର ଦତ୍ତା ହସ୍ପିଟାଲରେ ମଧ୍ୟ ତାଙ୍କୁ ଆଡମିଶନ କରିବାକୁ ବାରଣ କରାଯାଇଥିବା ମାତା କହିଛନ୍ତି।
କେଏମ୍‌ସିଏଚ୍‌ରେ ଚିକିତ୍ସା ସମୟରେ ଶୁଭ୍ରଜିତଙ୍କୁ କୌଣସି ଔଷଧ ଦିଆଯାଇ ନ ଥିଲା। ତାଙ୍କୁ ୱାର୍ଡକୁ ନିଆଯାଇଥିଲା। ସେଠାରେ କୌଣସି ସୁବିଧା ନ ଥିଲା। ମାତାପିତା ବିକଳରେ ପୁଅର ସ୍ବାସ୍ଥ୍ୟ ବିଷୟରେ ପଚରାଉଚରା ଜାରି ରଖିଥିଲେ ମଧ୍ୟ ସେମାନଙ୍କୁ କିଛି ସୂଚନା ଦିଆଯାଇ ନ ଥିଲା। ପରେ ଅନୁସନ୍ଧାନ ବିଭାଗରେ ପଚରାଉଚରା କରିବାରୁ ଜଣା ପଡ଼ିଥିଲା ଯେ, ରାତି ୯ଟା ୩୦ରେ ଶୁଭ୍ରଜିତଙ୍କର ମୃତ୍ୟୁ ଘଟିଛି। ଅବହେଳା ଯୋଗୁ ଏହା ଘଟିଥିବା ମାତାପିତା ଅଭିଯୋଗ କରିଛନ୍ତି। ଠିକ୍‌ ସମୟରେ ଚିକିତ୍ସା ସୁବିଧା ମିଳିଥିଲେ ଶୁଭ୍ରଜିତଙ୍କ ଜୀବନ ରକ୍ଷା ସମ୍ଭବ ହୋଇଥାନ୍ତା ବୋଲି ସେମାନେ କହିଛନ୍ତି।

Share