ବିଛାଉଥିଲେ ବିଦ୍ୟୁତ୍‌ ତାର ନିଜେ ଫଶିଲେ

ବୌଦ୍ଧ/ବଘିଆପଡା/ବାଉଁଶୁଣୀ,୧୯ା୧୧(ସ୍ବ.ପ୍ର/ଡି.ଏନ.ଏ): ବୌଦ୍ଧ ଗଉଦେଇ ସଂରକ୍ଷିତ ଜଙ୍ଗଲରେ ବାର୍‌ହା ଶିକାର ପାଇଁ ବିଦ୍ୟୁତ୍‌ ତାର ବିଛାଉଥିବା ବେଳେ ୩ଜଣ ଶିକାରୀଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ବୌଦ୍ଧ ଥାନା ବାମଣ୍ଡା ପଞ୍ଚାୟତ ନୂଆଗଡ ଗ୍ରାମର ସୀତାରାମ ପ୍ରଧାନ ଓ ପର୍ଶୁରାମ ପ୍ରଧାନ ଏବଂ ସମ୍ବଲପୁର ଜିଲା ରେଢାଖୋଲ ଥାନା କଦଳୀଗଡ ଗ୍ରାମର ବୈରାଗୀ ମହାକୁଡ। ସମସ୍ତ ଅଭିଯୁକ୍ତଙ୍କୁ ଶୁକ୍ରବାର କୋର୍ଟଚାଲାଣ କରାଯାଇଛି। ସେମାନଙ୍କ ଠାରୁ ସରୁ ଲୁହାତାର, ଭଙ୍ଗା କାଚ ବୋତଲ ଓ ଶିକାର ପାଇଁ ବ୍ୟବହୃତ ବହୁ ସାମଗ୍ରୀ ଜବତ ହୋଇଛି।
ସୂଚନା ଅନୁସାରେ, ଗୁରୁବାର ରାତିରେ ଶିକାରୀମାନେ ଗଉଡଦେଇ ସଂରକ୍ଷିତ ଜଙ୍ଗଲରେ ବାର୍‌ହା ଶିକାର ପାଇଁ ବିଦ୍ୟୁତ୍‌ ତାର ବିଛାଉଥିଲେ। ବୌଦ୍ଧ ବନଖଣ୍ଡ ଅଧିକାରୀ ଦେପ୍ରିୟ କମ୍ପ କୌଣସି ସୂତ୍ରରୁ ସୂଚନା ପାଇ ଚଢାଉ ପାଇଁ ନିର୍ଦ୍ଦେଶ ଦେଇଥିଲେ। ରାତି ପ୍ରାୟ ୨ଟା ସମୟରେ ଏସିଏଫ ଜିତେନ୍ଦ୍ର କୁମାର ବେହେରାଙ୍କ ନେତୃତ୍ୱରେ ଏକ ଟିମ୍‌ ଚଢାଉ କରି ଉକ୍ତ ୩ଜଣଙ୍କୁ କାବୁ କରିଥିଲେ। ହେଲେ ୧୦ରୁ ଊର୍ଦ୍ଧ୍ୱ ଶିକାରୀ ଖସି ପଳାଇଥିବା ବନ ବିଭାଗ ପକ୍ଷରୁ ସୂଚନା ମିଳିଛି। ଫେରାର ସମସ୍ତ ଶିକାରୀ ନୂଆଗଡ ଗ୍ରାମର ବୋଲି ଜଣାପଡିଛି। ଏ ନେଇ ବୌଦ୍ଧ ବନ ବିଭାଗ କାର୍ଯ୍ୟାଳୟ ପକ୍ଷରୁ ଏକ ମାମଲା ରୁଜୁ ହୋଇଛି।

Share