୩ ବାର୍‌ହା ଶିକାରୀ ଗିରଫ, ମାଂସ ଜବତ

କେନ୍ଦୁଝର,୧ା୧୧(ସ୍ବ.ପ୍ର.): ତେଲକୋଇ ବନାଞ୍ଚଳ ସମାକୋଇ ରିଜର୍ଭ ଜଙ୍ଗଲରେ ବାର୍‌ହା ଶିକାର ଜାରି ରହିଥିବାରୁ ବନ୍ୟପ୍ରାଣୀ ସୁରକ୍ଷାକୁ ନେଇ ସାଧାରଣରେ ଚିନ୍ତାର ବିଷୟ ହୋଇଛି। ବିଦ୍ୟୁତତାର ଟାଣି ବାରହା ଶିକାର କରିଥିବା ତିନି ଜଣଙ୍କୁ ରବିବାର ତେଲକୋଇ ବନ ବିଭାଗ କର୍ମଚାରୀ ଗିରଫ କରି କୋର୍ଟ ଚାଲାଣ କରିବା ସହ ସେମାନଙ୍କଠାରୁ ୫୫ କିଲୋ ମାଂସ, ଜିଆଇ ତାର, ତାର ବାନ୍ଧିବାରେ ବ୍ୟବହୃତ କାଠ ଖୁଣ୍ଟି, କାଚ ବୋତଲ ଆଦି ଜବତ କରିଛି। ଗିରଫମାନେ ହେଲେ ଖୁଣ୍ଟାପଡ଼ା ଗ୍ରାମର ଜିତୁ ମୁଖୀ, ଗୁଣ୍ଡୁରିଯୋଡ଼ା ଗ୍ରାମର ପୂର୍ଣ୍ଣ ମୁଣ୍ଡା ଓ କୁଲାଡେରା ଗ୍ରାମର ବୁଧୁ ମୁଣ୍ଡା ବୋଲି ଜଣାପଡ଼ିଛି ା ଏହି ଘଟଣାରେ ଜଡ଼ିତ ଅନ୍ୟ ଦୁଇଜଣ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡ଼ିଛି ା ବାରମ୍ବାର ଉକ୍ତ ଅଞ୍ଚଳରେ ବାରହା ଶିକାର ଚାଲିଥିଲେ ହେଁ ବନବିଭାଗ ରୋକିବାରେ ବିଫଳ ହେଉଥିବାରୁ ପରିବେଶବିତ୍‌ମାନେ ଉଦ୍‌ବେଗ ପ୍ରକାଶ କରିଛନ୍ତି ା ଫଳରେ ଉକ୍ତ ଜଙ୍ଗଲରୁ ବାର୍‌ହା ସଂଖ୍ୟା କମିବାକୁ ଲାଗିଥିବାରୁ ଦୃଢ଼ ପଦକ୍ଷେପ ନେବାକୁ ଦାବି ହେଉଛି ା