ଗଛରେ ୩ ଝିଅଙ୍କ ଝୁଲନ୍ତା ମୃତଦେହ

ଉମରକୋଟ,୧୦।୪(ସ୍ବ.ପ୍ର.): ଗୋଟିଏ ଗଛରେ ୩ ଝିଅଙ୍କ ଝୁଲନ୍ତା ମୃତଦେହ। ନବରଙ୍ଗପୁର ଜିଲା ଉମରକୋଟ ବ୍ଲକ ତୋହରା ଗ୍ରାମରେ ଶନିବାର ରାତିରେ ଏଭଳି ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ମୃତକଙ୍କ ମଧ୍ୟରେ ଗାଁର ବଂଶୀଧର ଗୌଡ଼ଙ୍କ ଝିଅ ହେମଲତା(୨୨), ମନ୍‌ଧର ମାଝିଙ୍କ ଝିଅ ଫୁଲମତି(୧୬) ଏବଂ ରାମ୍‌ଧର ମାଝିଙ୍କ ଝିଅ କୌଶଲ୍ୟା(୧୬) ରହିଛନ୍ତି। ହେମଲତା ବିବାହିତା ବୋଲି ଜଣାପଡ଼ିଛି। ଏମାନେ ସମସ୍ତେ ଅଲଗା ପରିବାରର ହୋଇଥିବାବେଳେ ଏହା ଆତ୍ମହତ୍ୟା ନା କେହି ହତ୍ୟାକରି ଝୁଲାଇ ଦେଇଛି ତାହାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ହେମଲତାଙ୍କୁ ତାଙ୍କ ସ୍ବାମୀ କିଛିବର୍ଷ ତଳେ ଛାଡ଼ିଦେଇ ଅନ୍ୟତ୍ର ବିବାହ କରିଥିଲେ। ଏହା ପରଠାରୁ ସେ ବାପଘରେ ରହୁଥିଲେ। ଶନିବାର ଅପରାହ୍ନ ୪ଟା ବେଳେ ହେମଲତା, ଫୁଲମତି ଏବଂ କୌଶଲ୍ୟା କୌଣସି କାମରେ ଘରୁ ବାହାରିଥିଲେ। ସନ୍ଧ୍ୟା ପର୍ଯ୍ୟନ୍ତ ନ ଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ। ପରେ ଗାଁ ନିକଟ କୁସୁମ୍‌ ଗଛରେ ସେମାନଙ୍କ ମୃତଦେହ ଝୁଲୁଥିବା ଖବର ପାଇଥିଲେ। ଏ ନେଇ ଉମରକୋଟ ଥାନା ପୋଲିସ ସୂଚନା ପାଇ ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି।

Share