ହମାସ-ଇସ୍ରାଏଲ ଯୁଦ୍ଧରେ ଭାରତୀୟ ବଂଶୋଦ୍ଭବ ୩ ମହିଳା ମୃତ

ଜେରୁଜେଲମ,୧୫।୧୦(୦୭): ଇସ୍ରାଏଲ ଏବଂ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧରେ ଭାରତୀୟ ବଂଶୋଦ୍ଭବ ୩ ମହିଳା ପ୍ରାଣ ହରାଇଛନ୍ତି। ଏହି ତିନିଜଣ ମହିଳାଙ୍କ ମଧ୍ୟରୁ ଜଣେ ଇସ୍ରାଏଲ ପ୍ରତିରକ୍ଷା ବାହିନୀର ଅଂଶ ଏବଂ ଜଣେ ପୋଲିସ ଫୋର୍ସରେ ଥିଲେ। କୁହାଯାଉଛି ଯେ, ସେ ହମାସର ଉଗ୍ରବାଦୀଙ୍କ ସହ ଲଢିବାବେଳେ ପ୍ରାଣ ହରାଇଛନ୍ତି।
ଅକ୍ଟୋବର ୭ ସକାଳେ ଗାଜା ଷ୍ଟ୍ରିପରୁ କାର୍ଯ୍ୟ କରୁଥିବା ଉଗ୍ରବାଦୀ ସଂଗଠନ ହମାସ ଦକ୍ଷିଣ ଇସ୍ରାଏଲରେ ଏକ ମାରାତ୍ମକ ଆକ୍ରମଣ କରିବା ପରଠାରୁ ଉଭୟ ପକ୍ଷ ମଧ୍ୟରେ ଯୁଦ୍ଧ ବୃଦ୍ଧି ପାଇବାରେ ଲାଗିଛି। ଇସ୍ରାଏଲ ସୈନ୍ୟବାହିନୀରେ କାର୍ଯ୍ୟ କରୁଥିବା ଭାରତୀୟ ମୂଳ ମହିଳା ଏବଂ ପୋଲିସ ଉଗ୍ରବାଦୀଙ୍କ ସହ ଲଢିବାବେଳେ ଶହୀଦ ହୋଇଥିଲେ। କୁହାଯାଉଛି ଯେ, ହମାସ ବିରୋଧରେ ଏହି ଯୁଦ୍ଧରେ ପ୍ରଥମ ଥର ପାଇଁ ଭାରତୀୟ ବଂଶୋଦ୍ଭବ ଶହୀଦ ହେବା ନିଶ୍ଚିତ ହୋଇଛି।
ଭାରତୀୟ ବଂଶୋଦ୍ଭବ ମହିଳା, ଯେଉଁମାନେ ହମାସ ବିରୋଧରେ ଯୁଦ୍ଧରେ ଶହୀଦ ହୋଇଛନ୍ତି ସେମାନେ ଭାରତୀୟ ଯିହୁଦୀ ସମ୍ପ୍ରଦାୟର ଥିଲେ। ସେମାନଙ୍କର ମାତାପିତା ମହାରାଷ୍ଟ୍ରରୁ ଯାଇ ଇସ୍ରାଏଲରେ ବସବାସ କରିଥିଲେ। କିନ୍ତୁ ସେମାନେ (ମହିଳା) ସେଠାରେ ଜନ୍ମ ହୋଇଥିଲେ। ଇସ୍ରାଏଲ ଗାଜା ସୀମାରେ ମହିଳା ସୈନିକମାନଙ୍କୁ ମଧ୍ୟ ନିୟୋଜିତ କରିଛି। ଭାରତୀୟ ବଂଶୋଦ୍ଭବ ମହିଳା ମଧ୍ୟ ସୀମାରେ ନିୟୋଜିତ ହୋଇଥିଲେ।

Share