Categories: ଖେଳ

ପ୍ରଥମଥର ଫାଇନାଲରେ ୩ ଭାରତୀୟ

ବୁଦାପେଷ୍ଟ, ୨୬।୮(ପି.ଟି.): ଓଡ଼ିଶାର କିଶୋର ଜେନା ଏଠାରେ ଚାଲିଥିବା ବିଶ୍ୱ ଆଥ୍‌ଲେଟିକ୍ସ ଚାମ୍ପିୟନଶିପ୍‌ ଜାଭେଲିନ ଥ୍ରୋ ଇଭେଣ୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ତାଙ୍କ ସହ ଟୋକିଓ ଅଲିମ୍ପିକ୍ସ ଗୋଲ୍ଡ ମେଡାଲିଷ୍ଟ ନୀରଜ ଚୋପ୍ରା ଓ ଡି.ପି. ମନୁ ମଧ୍ୟ ଫାଇନାଲରେ ପହଞ୍ଚତ୍ଛନ୍ତି। ପ୍ରଥମଥର ପାଇଁ କୌଣସି ଏକ ବିଶ୍ୱ ଚାମ୍ପିୟନଶିପ୍‌ରେ ୩ ଭାରତୀୟ ଫାଇନାଲରେ ପ୍ରବେଶ କରିଛନ୍ତି। ନୀରଜ ଗୋଟିଏ ପାଦ ଆଗକୁ ବଢ଼ି ୨୦୨୪ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ଗୋଟିଏ ବଡ଼ ଥ୍ରୋ ତାଙ୍କୁ ଅଲିମ୍ପିକ୍ସ ଯୋଗ୍ୟତା ଦେଇଛି। କ୍ୱାଲିଫିକେଶନ ଗ୍ରୁପ୍‌ ‘ବି’ରେ କିଶୋର ୮୦.୫୫ ମିଟର ଥ୍ରୋ କରିଥିଲେ, ଯାହାକି ଫାଇନାଲରେ ସ୍ଥାନ ପାଇବାକୁ ପର୍ଯ୍ୟାପ୍ତ ହୋଇଥିଲା। ଗ୍ରୁପ୍‌ ‘ଏ’ରେ ପ୍ରତିଦ୍ୱନ୍ଦ୍ୱିତା କରିଥିବା ନୀରଜ ନିଜ ପ୍ରଥମ ଉଦ୍ୟମରେ ହିଁ ସିଜନ ଶ୍ରେଷ୍ଠ ୮୮.୭୭ ମିଟର ଥ୍ରୋ କରିଥିଲେ। ଫଳରେ ବିଶ୍ୱ ଚାମ୍ପିୟନଶିପ୍‌ର ଫାଇନାଲରେ ପ୍ରବେଶ କରିବା ସହ ଅଲିମ୍ପିକ୍ସ ଟିକେଟ ପାଇ ଯାଇଥିଲେ। ଡି.ପି. ମନୁ ୮୧.୩୧ ମିଟର ଥ୍ରୋ କରିଥିଲେ। ପ୍ୟାରିସ ଅଲିମ୍ପିକ୍ସ ପାଇଁ କ୍ୱାଲିଫାଇଂ ମାର୍କ ୮୫.୫୦ ମିଟର। ଜୁଲାଇ ୧ରୁ କ୍ୱାଲିଫାଇଂ ଓ୍ବିଣ୍ଡୋ ଓପନ ରହିଥିବାବେଳେ ନୀରଜ ଏଠାରେ ତାହା ହାସଲ କରିଛନ୍ତି। ଫାଇନାଲ ରବିବାର ଅନୁଷ୍ଠିତ ହେବ। ୨୫ ବର୍ଷୀୟ ନୀରଜ ୨୦୨୨ରେ ଆମେରିକାରେ ଅନୁଷ୍ଠିତ ବିଶ୍ୱ ଚାମ୍ପିୟନଶିପ୍‌ରେ ରୌପ୍ୟ ପଦକ ହାସଲ କରିଥିଲେ। ଏଥର ସ୍ବର୍ଣ୍ଣ ବିଜୟ ଉପରେ ତାଙ୍କ ନଜର ରହିବ।
ନୀରଜଙ୍କ କ୍ୱାଲିଫାଇଂ ରାଉଣ୍ଡ ଅଳ୍ପ ସମୟ ବିଶିଷ୍ଟ ଥିଲା। କାରଣ ଚଳିତ ବିଶ୍ୱ ଚାମ୍ପିୟନଶିପ୍‌ର ଫାଇନାଲରେ ପ୍ରବେଶ ପାଇଁ ଅଟୋମେଟିକ୍‌ ଯୋଗ୍ୟତା ମାର୍କ ୮୩ ମିଟର ଥିଲା। ସେ ପ୍ରଥମ ଉଦ୍ୟମରେ ୮୮.୭୭ ମିଟର ସ୍ପର୍ଶ କରିବାରୁ ଆଉ ଥ୍ରୋ କରିବାକୁ ପଡ଼ି ନ ଥିଲା। ନୀରଜଙ୍କର ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ ହେଉଛି ୮୯.୯୪ ମିଟର। ଏଠାରେ ଗ୍ରୁପ୍‌ ‘ଏ’ ଓ ଗ୍ରୁପ୍‌ ‘ବି’ର ଶ୍ରେଷ୍ଠ ୧୨ ଥ୍ରୋୟର ଫାଇନାଲରେ ପ୍ରବେଶ ପାଇଁ ଯୋଗ୍ୟତା ପାଇଛନ୍ତି। ନୀରଜଙ୍କ ସହ ଗୋଟିଏ ଗ୍ରୁପ୍‌ରେ ପ୍ରତିଦ୍ୱନ୍ଦ୍ୱିତା କରିଥିବା ମନୁ ଦ୍ୱିତୀୟ ଉଦ୍ୟମରେ ୮୧.୩୧ ମିଟର ସହ ତୃତୀୟ ସ୍ଥାନରେ ରହିଥିଲେ। ୨ ଗ୍ରୁପ୍‌ର ପ୍ରଦର୍ଶନ ଭିତ୍ତିରେ ଓଭରଅଲ୍‌ ତାଙ୍କୁ ୬ଷ୍ଠ ସ୍ଥାନ ମିଳିଥିଲା। ଗତ ଜୁଲାଇରେ ଅନୁଷ୍ଠିତ ଏସିଆନ ଚାମ୍ପିୟନଶିପ୍‌ରେ ସେ ରୌପ୍ୟ ପଦକ ପାଇଥିଲେ।
ସେହିପରି ନୂଆଦିଲ୍ଲୀଠାରେ ଅବସ୍ଥାପିତ ହଙ୍ଗେରିଆନ ଦୂତାବାସ ପକ୍ଷରୁ ଭିଜା ବାତିଲଜନିତ ସମସ୍ୟାର ସମ୍ମୁଖୀନ ହୋଇଥିବା କିଶୋର ପ୍ରତିଯୋଗିତାରେ କିନ୍ତୁ ଦମ୍‌ଦାର ପ୍ରଦର୍ଶନ କରିଛନ୍ତି। ସେ ଗ୍ରୁପ୍‌ ‘ବି’ରେ ୮୦.୫୫ ମିଟର ସହ ୫ମ ସ୍ଥାନରେ ରହିଥିଲେ। ତେବେ ଓଭରଅଲ୍‌ ସେ ୯ମ ସ୍ଥାନରେ ରହି ଫାଇନାଲରେ ପ୍ରବେଶ କରିଥିଲେ। ଏହା ତାଙ୍କର ପ୍ରଥମ ବିଶ୍ୱ ଚାମ୍ପିୟନଶିପ୍‌। ”ପୂର୍ବରୁ କୌଣସି ବିଶ୍ୱ ଚାମ୍ପିୟନଶିପ୍‌ରେ ୩ ଭାରତୀୟ କେବେ ଫାଇନାଲରେ ପ୍ରବେଶ କରି ନ ଥିଲେ। ଏହା ଭାରତୀୟ ଜାଭେଲିନ୍‌ ପାଇଁ ଐତିହାସିକ ଦିନ“ ବୋଲି ଜଣେ ଟିମ୍‌ କୋଚ୍‌ ପ୍ରକାଶ କରିଛନ୍ତି। ଭାରତ ପ୍ରଥମଥରପାଇଁ ୧୯୮୩ ବିଶ୍ୱ ଚାମ୍ପିୟନଶିପ୍‌ରେ ଅଂଶଗ୍ରହଣ କରିଥିଲା। କ୍ୱାଲିଫାଇଂ ପର୍ଯ୍ୟାୟରେ ପ୍ରତି ପ୍ରତିଯୋଗୀଙ୍କୁ ୩ ଥର ଥ୍ରୋ ସୁଯୋଗ ମିଳିଥାଏ। ପୂର୍ବରୁ ବିଶ୍ୱ ଚାମ୍ପିୟନଶିପ୍‌ ହେଉ କିମ୍ବା ଅଲିମ୍ପିକ୍ସ ନୀରଜ ଗୋଟିଏ ଲେଖାଏ ଥ୍ରୋରେ ଯୋଗ୍ୟତା ଅର୍ଜନ କରିଥିଲେ। ଏଠାରେ ମଧ୍ୟ ତାହାର ପୁନରାବୃତ୍ତି କରିଛନ୍ତି।
ରାଜ୍ୟଗୋଷ୍ଠୀ କ୍ରୀଡ଼ା ଚାମ୍ପିୟନ ପାକିସ୍ତାନର ଅର୍ଶଦ ଖାଁ ୮୬.୭୯ ମିଟର ଥ୍ରୋ କରିବା ସହ ପ୍ୟାରିସ ଅଲିମ୍ପିକ୍ସ ଯୋଗ୍ୟତା ପାଇଛନ୍ତି। ନଦିମ ୨୦୧୮ ଏସିଆନ ଗେମ୍ସରେ ବ୍ରୋଞ୍ଜ ପାଇଥିଲେ। ସେଠାରେ ନୀରଜ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ।

Share