ଭବାନୀପାଟଣା,୨୧ା୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ହାବସପୁର ଗ୍ରାମରେ ଥିବା ଏକ ଘରର କାନ୍ଥରେ ୩ଟି ସୂଚନା ଫଳକ କରାଯାଇଥିବା ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ପୁଣି ୩ଟି ସୂଚନାଫଳକ ସ୍ଥାନୀୟ ୩ ପଞ୍ଚାୟତର କାର୍ଯ୍ୟ ବିଷୟରେ ଉଲ୍ଲେଖ ରହିଛି। ଯାହାକି ସାଧାରଣରେ ଆଶ୍ଚର୍ଯ୍ୟ ପ୍ରକାଶ ପାଇଛି। ଗୋଟିଏ ସୂଚନା ଫଳକରେ ହାବସପୁର ପଞ୍ଚାୟତର କଛିମ ଡୋଲାଠାରୁ ଶ୍ମଶାନ ରାସ୍ତାର ଉନ୍ନତିକରଣ ପାଇଁ ଲଗାଯାଇଛି। ଏଥିରେ ଆର୍ଥିକ ବର୍ଷ ୨୦୨୨-୨୩ ଏମ୍ପିଙ୍କ ଉନ୍ନୟନ ପାଣ୍ଠିରୁ ଏହା ହୋଇଥିବାବେଳେ ଏଥିପାଇଁ ୨ଲକ୍ଷ ଟଙ୍କା ବ୍ୟୟ ଅଟକଳ ରହିଛି। ଯାହାର କାର୍ଯ୍ୟ ଆରମ୍ଭ ଓ ଶେଷ ତାରିଖ ବିଷୟରେ କିଛି ଉଲ୍ଲେଖ କରାଯାଇନାହିଁ । ଦ୍ୱିତୀୟ ସୂଚନାଫଳକ ମହିଚଲା ଓ ଚକୁଳି ଗ୍ରାମରେ ସପପିଟ୍ ନିର୍ମାଣ କାର୍ଯ୍ୟ ପାଇଁ ଲଗାଯାଇଛି। ଆର୍ଥିକ ବର୍ଷ ୨୦୨୩-୨୪ର ଏହା ହୋଇଥିବାବେଳେ ଏଥିପାଇଁ ୪ ଲକ୍ଷ ୨୦ ହଜାର ଟଙ୍କା ବ୍ୟୟ ଅଟକଳ ରହିଥିବା ଉଲ୍ଲେଖ କରାଯାଇଛି। ଏଠାରେ ମଧ୍ୟ କେବେ କାର୍ଯ୍ୟ ଆରମ୍ଭ ହେଲା ଓ ଶେଷ ହେଲା ତାହା ଉଲ୍ଲେଖ କରାଯାଇନାହିଁ ।
ସେହିପରି ତୃତୀୟ ଫଳକରେ ଗୌଡ଼ଛେଣ୍ଡିଆ ପଞ୍ଚାୟତ ଚିକିଲି ଗ୍ରାମରେ ହୋଇଥିବା ଧାନଖଳା ନିର୍ମାଣ ପାଇଁ ଉଲ୍ଲେଖ କରାଯାଇଛି। ଆର୍ଥିକ ବର୍ଷ ୨୦୨୩-୨୪ର ଏହା ହୋଇଥିବାବେଳେ ୭ଲକ୍ଷ ୩୨ ହଜାର ଟଙ୍କା ଏହାର ବ୍ୟୟ ଅଟକଳ ରହିଛି। ଏଠାରେ ମଧ୍ୟ କାର୍ଯ୍ୟ ଆରମ୍ଭ କେବେ ଓ ଶେଷ କେବେ ତାହା ଉଲ୍ଲେଖ କରାଯାଇନାହିଁ। ସବୁଠୁ ଆଶ୍ଚର୍ଯ୍ୟର କଥା ହେଲା ଦ୍ୱିତୀୟ ଓ ତୃତୀୟ ସୂଚନା ଫଳକ ଅଲଗା ପଞ୍ଚାୟତର କାର୍ଯ୍ୟ ହୋଇଥିବାବେଳେ ହାବସପୁର ପଞ୍ଚାୟତରେ ଥିବା ଏହି ଘରର କାନ୍ଥରେ ସେମାନେ ଏହାକୁ କେମିତି କଲେ ଯାହାକୁ ନେଇ ସାଧାରଣରେ ସନ୍ଦେହ ପ୍ରକାଶ ପାଇଛି। ସ୍ଥାନୀୟ ଯନ୍ତ୍ରୀ କେମିତି ଏହି କାର୍ଯ୍ୟର ବିଲ୍ କଲେ ତାହା ତଦନ୍ତ ସାପେକ୍ଷ। ଏ ନେଇ ଡାକାସିଂହ ମାଝୀଙ୍କୁ ପଚାରିବାରୁ ମୁଁ ଜାଣି ନ ଥିଲି ଏବେ ଜାଣୁଛି। ସ୍ଥାନୀୟ ଗ୍ରାମରେ ଜଣେ ପେଣ୍ଟର ପ୍ରାକ୍ଟିସ କରିବା ପାଇଁ ଏପରି ଲେଖିଦେଇଛି ବୋଲି ଅତି ହାଲୁକା ଭାବେ ସଫେଇ ଦେଇଥିଲେ। ସେହିପରି ପେଣ୍ଟର ଜଣକ ଯଦି ସୂଚନାଫଳକର ସବୁ କାର୍ଯ୍ୟ ବିଷୟରେ ଉଲ୍ଲେଖ କରିଛି ତେବେ କାର୍ଯ୍ୟାରମ୍ଭ ଓ ଶେଷ ତାରିଖକୁ କାହିଁକି ଲେଖିନାହାନ୍ତି ବୋଲି ପଚାରିବାରୁ ସଠିକ ଉତ୍ତର ଦେଇ ପାରିନଥିଲେ। ଏହି ଘଟଣାର ଉଚ୍ଚସ୍ତରୀୟ ତଥା ଭିଜିଲାନ୍ସ ତଦନ୍ତ କରିବାକୁ ସାଧାରଣରେ ଦାବି ହୋଇଛି।