ଓଡ଼ିଶାର କ୍ଷୁଦ୍ର ଚଳଚ୍ଚିତ୍ରକୁ ୩ ଅନ୍ତର୍ଜାତୀୟ ପୁରସ୍କାର

ଭୁବନେଶ୍ୱର,୧୬ା୧୧(ବ୍ୟୁରୋ): ଓଡ଼ିଶାରୁ ନିର୍ମିତ କରୋନା ଆଧାରିତ ସାଇଲେଣ୍ଟ୍‌ ଶର୍ଟ ଫିଲ୍ମ ‘ଓ୍ବାରିଅର୍ସ ଓ୍ବାର୍‌ ଓ୍ବିଦିନ’ ୩ଟି ଅନ୍ତର୍ଜାତୀୟ ପୁରସ୍କାର ପାଇଛି। ଚଳଚ୍ଚିତ୍ର ନିର୍ମାତା ତଥା ଅଭିନେତା ଗଜେନ୍ଦ୍ର କୁମାର ପାଢୀଙ୍କ ୧୨ ମିନିଟ୍‌ ୨୨ ସେକେଣ୍ଡର ଏହି ଫିଲ୍ମ ଚଳିତବର୍ଷ ଆମେରିକା, ଭୁଟାନ ଓ ସିଙ୍ଗାପୁରଠାରେ ଅନୁଷ୍ଠିତ ୩ ଚଳଚ୍ଚିତ୍ର ମହୋତ୍ସବରେ ସ୍ଥାନ ପାଇବା ସହ ପୁରସ୍କୃତ ହୋଇଛି। ଏହାବାଦ୍‌ ଗୋଲ୍ଡେନ୍‌ ବ୍ରିଜ୍‌ ଇସ୍ତାନବୁଲ୍‌ କ୍ଷୁଦ୍ର ଚଳଚ୍ଚିତ୍ର ମହୋତ୍ସବ ଓ ଆନାଟୋଲିଆ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ପ୍ରଦର୍ଶନ ପାଇଁ ମନୋନୀତ ହୋଇଛି।
ଏହି ଫିଲ୍ମଟି ଆଗଧାଡ଼ିର କରୋନା ଯୋଦ୍ଧା କୁହାଯାଉଥିବା ଜଣେ ନର୍ସଙ୍କ କର୍ତ୍ତବ୍ୟନିଷ୍ଠା ଉପରେ ପର୍ଯ୍ୟବସିତ। ଜଣେ ମା’ ଭଳି କରୋନା ରୋଗୀଙ୍କ ସେବା କରୁଥିବା ନର୍ସ ଜଣକ ଘରେ ଛାଡ଼ି ଆସିଥିବା ନିଜ କ୍ଷୀରଖିଆ ଛୋଟ ଛୁଆକୁ ଚାହୁଁଥିଲେ ବି କୋଳେଇ ପାରୁନାହାନ୍ତି। ଏପଟେ କରୋନା ଲଢ଼େଇ, ସେପଟେ ମା’ କୋଳଠାରୁ ଦୂରରେ ଥିବା ନିଜର ଛୁଆ – ଏମିତି କେତେକ ଦୃଶ୍ୟକୁ ନେଇ ଫିଲ୍ମର କାହାଣୀ ଗତିଶୀଳ ହୋଇଛି। ଚଳଚ୍ଚିତ୍ରରେ ନିର୍ମାତା କୌଣସି ଭାଷା ବ୍ୟବହାର ନ କରି ମଧ୍ୟ ଦର୍ଶକଙ୍କ ହୃଦୟ ଜିତିପାରିଛନ୍ତି। କୋଭିଡ୍‌ ନିୟମକୁ ପାଳନ କରି ମାତ୍ର ଗୋଟିଏ ଦିନରେ ଏହି ଫିଲ୍ମର ଶୁଟିଂ କରାଯାଇଛି। ଏହି ପୁରସ୍କାରକୁ ନିର୍ମାତା ଓଡ଼ିଶାବାସୀଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି। ଫିଲ୍ମର ଏଡିଟିଂ ଓ ମ୍ୟୁଜିକ୍‌ରେ ଅମ୍ବିକେଶ କୁନାଲ ହୋତା ଥିବାବେଳେ କ୍ୟାମେରା ଓ ଲାଇଟ୍‌ ଦାୟିତ୍ୱ ତୁଲାଇଛନ୍ତି ଗଗନ କୁମାର ରାଉତ। ମୁଖ୍ୟ ଭୂମିକାରେ ଗାୟତ୍ରୀ ରଥ ନିଖୁଣ ଅଭିନୟ କରିଛନ୍ତି।

Share