Categories: ଜାତୀୟ

୩ ପ୍ରସଙ୍ଗ ବନାମ ୫ ରାଜ୍ୟ…

ନୂଆଦିଲ୍ଲୀ, ୮।୧: ଦେଶର ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ଗୋଆ, ମଣିପୁର ଆଦି ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଫେବୃୟାରୀ ୧୦ରୁ ହେବାକୁ ଯାଉଛି। ଏସବୁ ରାଜ୍ୟରେ ୩ ଟି ପ୍ରସଙ୍ଗ ମୁଖ୍ୟ ଭୂମିକା ଗ୍ରହଣ କରିବ ବୋଲି ରାଜନୈତିକ ସମୀକ୍ଷକ ମତପୋଷଣ କରିଛନ୍ତି।

ଦରଦାମ୍‌ ବୃଦ୍ଧି, କୃଷକ ଆନ୍ଦୋଳନ ଏବଂ କରୋନା ମହାମାରୀ ମୁଖ୍ୟ ପ୍ରସଙ୍ଗ ପାଲଟିବ ବୋଲି ଚର୍ଚ୍ଚା ହେଉଛି। ଏହା ସହିତ ହେଟ୍‌ ସ୍ପିଚ୍‌ ତଥା ସଂଖ୍ୟାଲଘୁଙ୍କ ଧ୍ରୁବୀକରଣ ମଧ୍ୟ ନିର୍ବାଚନରେ ଏକ ପ୍ରସଙ୍ଗ ପାଲଟିବ। ୫ ରାଜ୍ୟର ୬୯୦ ବିଧାନସଭା ଆସନ ମଧ୍ୟରୁ ୨୪୦ରୁ ଅଧିକରେ କୃଷକ ଆନ୍ଦୋଳନର ପ୍ରଭାବ ରହିଛି।

ପଞ୍ଜାବକୁ ଛାଡ଼ି ଦେଲେ ଅନ୍ୟ ୪ ରାଜ୍ୟରେ ଭାଜପା ସରକାର ରହିଛନ୍ତି। ଉତ୍ତରପ୍ରଦେଶରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସରକାରଙ୍କ କାର୍ଯ୍ୟକାଳ ୨୦୨୨ ମେ’୧୪ରେ ଶେଷ ହେଉଛି। ଏହା ପୂର୍ବରୁ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି।

ସେହିପରି ଉତ୍ତରାଖଣ୍ଡରେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ସରକାରଙ୍କ କାର୍ଯ୍ୟକାଳ ୨୦୨୨ ମାର୍ଚ୍ଚ ୨୩ରେ ଶେଷ ହେଉଛି। ପଞ୍ଜାବରେ ମୁଖ୍ୟମନ୍ତ୍ରୀ ଚରଣଜିତ୍‌ ସିଂ ଚନ୍ନିଙ୍କ କାର୍ଯ୍ୟକାଳ ୨୦୨୨ ମାର୍ଚ୍ଚ ୨୭ରେ ଶେଷ ହେଉଛି। ମଣିପୁରରେ ମୁଖ୍ୟମନ୍ତ୍ରୀ ଏନ୍‌.ବିରେନ୍‌ ସିଂଙ୍କ କାର୍ଯ୍ୟକାଳ ୨୦୨୨ ମାର୍ଚ୍ଚ ୧୯ରେ ଶେଷ ହେଉଥିବାବେଳେ ଗୋଆର ମୁଖ୍ୟମନ୍ତ୍ରୀ ଡ.ପ୍ରମୋଦ ସାଓ୍ବନ୍ତ ସରକାରଙ୍କ କାର୍ଯ୍ୟକାଳ ୨୦୨୨ ମାର୍ଚ୍ଚ ୧୫ରେ ଶେଷ ହେବାକୁ ଯାଉଛି।

ଏସବୁ ରାଜ୍ୟରେ ତୃଣମୂଳ କଂଗ୍ରେସ, ଆମ୍‌ ଆଦ୍‌ମୀ ପାର୍ଟି ମଧ୍ୟ ଲଢ଼ିବାର ଯୋଜନା କରିଛନ୍ତି। ଫଳରେ ଭୋଟର ବିଭାଜିତ ହେବା ନିଶ୍ଚିତ ହୋଇଛି ବୋଲି ରାଜନୈତିକ ସମୀକ୍ଷକ ମତପୋଷଣ କରିଛନ୍ତି।

Share