Categories: ଜାତୀୟ

ପଶ୍ଚିମବଙ୍ଗ ଜଙ୍ଗଲରେ କଙ୍ଗାରୁ! ପାଟ୍ରୋଲିଂ ବେଳେ ଗୁରୁତର ଅବସ୍ଥାରେ ୨ ଉଦ୍ଧାର

ଜଲପାଇଗୁଡ଼ି,୨।୪: ପଶ୍ଚିମବଙ୍ଗର ଜଲପାଇଗୁଡ଼ି ନିକଟରେ ଥିବା ଜଙ୍ଗଲରୁ ୩ଟି କଙ୍ଗାରୁ ଉଦ୍ଧାର ହୋଇଛନ୍ତି। ପ୍ରଥମେ ଗାଜୋଲଡୋବା ଜଙ୍ଗଲରୁ ଶୁକ୍ରବାର ରାତିରେ ୨ଟି ଆହତ କଙ୍ଗାରୁଙ୍କୁ ଉଦ୍ଧାର କରାଯାଇଥିଲା। ଏହାର କିଛି ଘଣ୍ଟା ପରେ ଜଙ୍ଗଲ ବିଭାଗର ଅଧିକାରୀମାନେ ଡାବଗ୍ରାମ ରେଞ୍ଜ ଫରାବରି-ନେପାଳୀ ଅଞ୍ଚଳରୁ ଆଉ ଗୋଟିଏ କଙ୍ଗାରକୁ ଠାବ କରିଛନ୍ତି।

ଭାରତର କୌଣସି ଜଙ୍ଗଲରେ କେବେ ହେଲେ ପୂର୍ବରୁ କଙ୍ଗାରୁ ରହିଥିବା କଥା ରିପୋର୍ଟ ହୋଇ ନଥିଲା। ଏବେ ପଶ୍ଚିମବଙ୍ଗ ଜଙ୍ଗଲରୁ କଙ୍ଗାରୁଙ୍କୁ ଉଦ୍ଧାର କରାଯିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ତେବେ ଏନେଇ ବୈକୁଣ୍ଠୁପୁର ଜଙ୍ଗଲ ବିଭାଗ ଅଧୀନ ବେଲାକୋବା ରେଞ୍ଜର ସଞ୍ଜୟ ଦତ୍ତ କହିଛନ୍ତି, କଙ୍ଗାରୁ ଉଦ୍ଧାର ହେବା ଘଟଣାର ତଦନ୍ତ ଆରମ୍ଭ ହୋଇଛି। କିଏ ଓ କେଉଁଠୁ କଙ୍ଗାରୁମାନଙ୍କୁ ଆଣି ଜଙ୍ଗଲରେ ଛାଡ଼ିଛନ୍ତି ଏବଂ ୨ଟି କଙ୍ଗାରୁ କିପରି ଆହତ ହେଲେ ସେନେଇ ଯାଞ୍ଚ କରାଯାଉଛି।

ସୂଚନା ଅନୁଯାୟୀ, ଶୁକ୍ରବାର ରାତିରେ ଅଧିକାରୀମାନେ ପାଟ୍ରୋଲିଂ କରୁଥିବା ସମୟରେ ପ୍ରଥମେ ୨ କଙ୍ଗାରୁଙ୍କୁ ଗୁରୁତର ଅବସ୍ଥାରେ ଠାବ କରିଥିଲେ। ସେଠାରୁ ସେମାନଙ୍କୁ ଅଧିକ ଚିକିତ୍ସା ପାଇଁ ବେଙ୍ଗଲ ସଫାରୀ ପାର୍କକୁ ଅଣାଯାଇଥିଲା। କଙ୍ଗାରୁଦ୍ୱୟଙ୍କ ଶରୀରରେ ଗଭୀର କ୍ଷତ ଚିହ୍ନ ରହିଥିବା ଦେଖାଯାଇଥିଲା। ଏହାର କିଛି ଘଣ୍ଟା ପରେ ପୁଣି ଗୋଟିଏ କଙ୍ଗାରୁକୁ ଜଙ୍ଗଲ ରାସ୍ତାରୁ ଉଦ୍ଧାର କରାଯାଇଛି। ଏନେଇ ଜଣାପଡ଼ିବା ପରେ ସ୍ବତନ୍ତ୍ର ଅଧିକାରୀମାନେ ପୂରା ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି।

Share