୩ କି.ମି. ଜଙ୍ଗଲ ରାସ୍ତା ଦେଇ ସ୍କୁଲ ଯାଆନ୍ତି ପିଲା

ନୂଆପଡ଼ା,୩୧।୭(ମକାରୁ ବେମାଲ): ନୂଆପଡା ସଦର ବ୍ଲକ ଆମାନାରା ପଞ୍ଚାୟତ ଆଦିବାସୀ ଅଧ୍ୟୁଷିତ ତଥା ମାଓବାଦୀପ୍ରବଣ ଉପାନ୍ତ ଅଞ୍ଚଳ ଗୋଡାପାହାଡ ପାଦଦେଶରେ ରାଜୁନଗର ଅବସ୍ଥିତ। ଏହି ଗାଁରେ ଆଦିବାସୀ ସମ୍ପ୍ରଦାୟରଏ ୪୦ରୁ ଊର୍ଦ୍ଧ୍ୱ ପରିବାର ବାସ କରନ୍ତି। ରାଜୁନଗରବାସୀ ସ୍ବାଧୀନତାର ଦୀର୍ଘ ବର୍ଷ ପରେ ମଧ୍ୟ ମୌଳିକ ଅଧିକାରରୁ ବଞ୍ଚତ୍ତ।
ରାଜୁନଗରରେ ନା ଅଛି ବିଦ୍ୟାଳୟ ନା ଅଛି ଭଲ ରାସ୍ତାଟିଏ। ବିଦ୍ୟାଳୟ ନ ଥିବାରୁ କୋମଳମତି ପିଲାମାନେ ୩ କି.ମି. ଜଙ୍ଗଲ ରାସ୍ତା ଓ ନାଳ ପାରହୋଇ ଆମାନାରା ଗାଁ ବିଦ୍ୟାଳୟକୁ ପଢିବା ପାଇ ଯିବାକୁ ପଡେ। ଗାଁ ଚାରି ପାଖରେ ଜଙ୍ଗଲ ଲାଗି ରହିଛି। ପଶ୍ଚିମକୁ ଗୋଡା ପାହାଡ ପାଦ ଦେଶରେ କୋଟେନ ଘୁଟକୁରୀ ଜଙ୍ଗଲ, ଦକ୍ଷିଣକୁ ମୁଷରଙ୍ଗୀ ସଂରକ୍ଷିତ ଜଙ୍ଗଲ ଉତ୍ତରକୁ ବ୍ରାହ୍ମଣୀ ଜଙ୍ଗଲ ଲାଗି ରହିଥିବା ବେଳେ ପୂର୍ବକୁ ଆମା ନାଳ ରହିଛି। ଗାଁର ୩ ପାର୍ଶ୍ୱରେ ଘଞ୍ଚ ଜଙ୍ଗଲ ଲାଗି ରହିଥିବାରୁ ଗ୍ରାମବାସୀ ସୁରକ୍ଷିତ ମଣୁନାହାନ୍ତି। ସେଥିରେ ଅଘୋଷିତ ବିଦ୍ୟୁତ୍‌ କାଟ ଲୋକଙ୍କ ଭୟକୁ ଦ୍ୱିଗୁଣିତ କରି ଦିଏ। ବର୍ତ୍ତମାନ ଜିଲାରେ ବାଘ, ଭାଲୁ ଓ ହାତୀ ଆତଙ୍କ ଲାଗି ରହିଛି। ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ଅଘୋଷିତ ବିଦ୍ୟୁତ କାଟକୁ ବନ୍ଦ କରାଯାଉ ବୋଲି ଗ୍ରାମବାସୀ ଦାବି କରିଛନ୍ତି। ଗାଁରେ ପାଇପ ଲାଇନ ଯାଇଛି। ହେଲେ ଏଯାଏଁ ଜଳ ଯୋଗାଣ ହୋଇ ନ ଥିବାରୁ ଲୋକେ ନଈ, ନାଳ କିମ୍ବା ପୋଖରୀ ପାଣି ବ୍ୟବହାର କରି ବିଭିନ୍ନ ରୋଗରେ ପଡୁଥିବା ଅଭିଯୋଗ କରିଛନ୍ତି। ତିନି ପିଢି ସରି ଯାଇଥିଲେ ମଧ୍ୟ ଗ୍ରାମବାସୀ ସରକାରଙ୍କ ସବୁ ସୁବିଧାରୁ ବଞ୍ଚତ୍ତ ହେବା ସହ ଜମି ପଟ୍ଟା ଦୁର କଥା ଘର ଡିହ ପଟ୍ଟା ମଧ୍ୟ ପାଇ ନାହାନ୍ତି। ଘର ଡିହ ପଟ୍ଟା ନ ଥିବାରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପାଇଥିବା ଘର କରି ପାରୁନାହାନ୍ତି। ଦୀର୍ଘ ଦିନରୁ ଜଙ୍ଗଲ ଜମି ପଟ୍ଟା ପାଇଁ ଆବେଦନ କରି ମଧ୍ୟ ପାଇନାହାନ୍ତି। ଏହି ସବୁ ସମସ୍ୟା ଉପରେ ଜିଲା ପ୍ରଶାସନକୁ ଅନେକ ଥର ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ। ଗାଁରେ ପ୍ରାଥମିକ ବିଦ୍ୟାଳୟ ସ୍ଥାପନ, ଜଙ୍ଗଲ ଜମି ପଟ୍ଟା ଓ ଘର ଡିହ ପଟ୍ଟା ପ୍ରଦାନ, ପକ୍କା ରାସ୍ତା, ଆମା ନାଳ ବ୍ରିଜ ନିର୍ମାଣ, ପାନୀୟ ଜଳ ଯୋଗାଣ ସହ ଅଘୋଷିତ ବିଦ୍ୟୁତ କାଟ ବନ୍ଦ କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି। ଏ ସଂକ୍ରାନ୍ତରେ ସଦର ବଡିଓ ସୁବେଦାର ପ୍ରଧାନଙ୍କୁ ଯୋଗାଯୋଗ କରିବାରୁ ହୋଇ ପାରିଲାନାହିଁ।

Share