୩ କି.ମି. ରାସ୍ତା ଶୋଚନୀୟ

ବଇଣ୍ଡା,୧୭।୭ (ପରିକ୍ଷିତ ସାହୁ): ଗ୍ରାମାଞ୍ଚଳକୁ ଗମନାଗମନ ସଦୃଢ଼ କରିବାକୁ ଚାଲିଛି ଯୋଜନା। ଖର୍ଚ୍ଚ ହେଉଛି ବହୁକୋଟି ଟଙ୍କା। ହେଲେ ସାମାନ୍ୟ ବର୍ଷାରେ ବାରି ହୋଇପଡୁଛି ବାସ୍ତବ ସ୍ଥିତି। ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ସାନହୁଲା ପଞ୍ଚାୟତର ସାନହୁଲା ଭାୟା ମିଣ୍ଡୋଳ ଦେଇ ଯାଇଥିବା ପାଇକସାହି ପୂର୍ତ୍ତ ବିଭାଗ ରାସ୍ତା ଏହାର ସଦ୍ୟତମ ଉଦାହରଣ। ପିଚୁ ଢଳେଇ କରାଯାଉ ନ ଥିବାରୁ ୩ କି.ମି ଦୀର୍ଘ ଏହି ମାଟି ରାସ୍ତା ଶୋଚନୀୟ ହୋଇପଡ଼ିଛି। ଯାନବାହନ ତ ଦୂରର କଥା, ପାଦରେ ଚାଲିଯିବା ବି କଷ୍ଟକର।
ଆଠମଲ୍ଲିକ ବ୍ଲକ ସାନହୁଲା ପଞ୍ଚାୟତର ସାନହୁଲା-ଭାୟା ମିଣ୍ଡୋଳ ଦେଇ ଯାଇଥିବା ସିନ୍ଦୂରଖୋଳକୁ ସଂଯୋଗ କରୁଛି ପାଇକସାହି ପୂର୍ତ୍ତ ବିଭାଗ ରାସ୍ତା। ତେବେ ଚଳିତ ଲଘୁଚାପ ବର୍ଷାରେ ୩ କିମି ଦୀର୍ଘ ଏହି ସଡ଼କ କଦର୍ଯ୍ୟ ହୋଇପଡ଼ିଛି। ବାରମ୍ବାର ଦାବି ସତ୍ତ୍ୱେ ଏହାକୁ ପିଚୁ କରାଯାଉ ନ ଥିବାରୁ ସାଧାରଣରେ ତୀବ୍ର ଅସନ୍ତୋଷ ଦେଖାଯାଇଛି। ସମସ୍ୟା ସମ୍ପର୍କରେ ସିନ୍ଦୂରଖୋଳ ଗ୍ରାମବାସୀ ଶନିବାର ଅନୁଗୋଳ ଜିଲାପାଳଙ୍କୁ ଏକ ଦାବିପତ୍ର ମାଧ୍ୟମରେ ଅବଗତ କରାଇଛନ୍ତି।
ଗ୍ରାମବାସୀ କହିଛନ୍ତି, ଏହି ମାଟି ରାସ୍ତା ସିନ୍ଦୂରଖୋଳ, ମିଣ୍ଡୋଳ, ପକୋଣ୍ଡା, ପାଇକସାହି ଅଞ୍ଚଳବାସୀଙ୍କ ଯାତାୟାତର ପ୍ରମୁଖ ମାଧ୍ୟମ।
ଏହି କଚ୍ଚା ସଡ଼କ ଦେଇ ଦୈନିକ ଶତାଧିକ ଭାରିଯାନ ଯାତାୟାତ କରୁଛି। ହେଲେ ଏହାକୁ ପକ୍କା କରାଯାଉନାହିଁ।, ଫଳରେ ସାମାନ୍ୟ ବର୍ଷା ହେଲେ ରାସ୍ତା ସମ୍ପୂର୍ଣ୍ଣ କାଦୁଅରେ ଭର୍ତ୍ତି ହୋଇଯାଇଛି। ସାଇକେଲ ବି ଯିବା କଷ୍ଟକର ହୋଇପଡୁଛି। ଲୋକେ ଜୀବନକୁ ବାଜି ଲଗାଇ ଯାତାୟାତ କରିବାକୁ ବାଧ୍ୟ ହେଉଛନ୍ତି। ପଞ୍ଚାୟତ ପ୍ରଶାସନ ଓ ବ୍ଲକ ପ୍ରଶାସନ ବିଭାଗ ପକ୍ଷରୁ ପ୍ରତିବର୍ଷ ମୋରମ ପକାଇ କାମତୁଲ କରିଦିଆଯାଉଛି। ହେଲେ କିଛିଦିନ ପରେ
ରାସ୍ତା ଖରାପ ହୋଇଯାଇଛି। ରାସ୍ତାକୁ ପିଚୁ କରିବା ପାଇଁ ସିନ୍ଦୂରଖୋଳ ଗ୍ରାମବାସୀ ୧୫ ଜୁନ୍‌ ୨୦୨୦, ୧ ଫେବୃୟାରୀ ୨୦୨୨ ଏବଂ ୧୮ ଫେବୃୟାରୀ ୨୦୨୩ରେ ସ୍ଥାନୀୟ ବିଧାୟକ, ସମ୍ବଲପୁର ଏମ୍‌ପି, ଜିଲାପାଳ, ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଥିଲେ। ହେଲେ କୌଣସି ସୁଫଳ ମିଳୁନାହିଁ। ଲକ୍ଷାଧିକ ଅଞ୍ଚଳବାସୀଙ୍କ ଗମନାଗମନର ମୁଖ୍ୟ ମାଧ୍ୟମ ସାଜିଥିବା ଉକ୍ତ ସଡ଼କକୁ ପିଚୁ କିମ୍ବା କଂକ୍ରିଟ୍‌ ଢଳେଇ କରାଗଲେ ସମସ୍ୟାର ସମାଧାନ ହୋଇପାରନ୍ତା। ଏଥିପ୍ରତି ଦୃଷ୍ଟି ନ ଦେଲେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ସିନ୍ଦୂରଖୋଳ ଗ୍ରାମବାସୀ ଚେତାବନୀ ଦେଇଛନ୍ତି।