Advertisement

୩ କି.ମି. ଦୂର ଝରଣାରୁ ଶିକ୍ଷକ ବୋହୁଛନ୍ତି ପାଣି

ଦାରିଙ୍ଗବାଡି,୪ା୨(ଅରୁଣ ସାହୁ )ଦାରିଙ୍ଗବାଡି ବ୍ଲକରେ ରହିଥିବା ବିଦ୍ୟାଳୟରେ ପିଇବାପାଣିର ସମସ୍ୟା ଦେଖାଦେଇଛି। ମଧ୍ୟାନ୍ନଭୋଜନ ପ୍ରସ୍ତୁତି ପାଇଁ ପାଣିକୁ ବାଇକ୍‌ରେ ପ୍ରଧାନ ଶିକ୍ଷକ ଓ ସହକାରୀ ଶିକ୍ଷକ ବୋହିବା ଘଟଣା ଏବେ ମୋବାଇଲରୁ ମୋବାଇଲ ଭାଇରାଲ ହେଉଛି। ଏଥିସହ ସାମାଜିକ ଗଣମାଧ୍ୟମରେ ସ୍ଥାନୀୟ ପ୍ରଶାସନ ଓ ଜିଲା ପ୍ରଶାସନକୁ ବିଦ୍ୟାଳୟ ପରିସରରେ ଏକ ନଳକୂପ ଖନନ କରିବାକୁ ପ୍ରଧାନ ଶିକ୍ଷକ ଅଜିତ କୁମାର ବେହେରାଦଳାଇ କାକୁତିମିନତି ହୋଇଥିବା ଘଟଣା ସାରା ଜିଲାରେ ଚର୍ଚ୍ଚାର ବିଷୟ ହୋଇଛି।
ସେ ଉଲ୍ଲେଖ କରିଛନ୍ତି ଯେ, ଦେଶ ୭୫ତମ ସାଧାରଣତନ୍ତ୍ର ଦିବସ ପାଳନ କଲା। କିନ୍ତୁ ବୁଜୁଲି ବିଦ୍ୟାଳୟରେ ନଳକୂପଟିଏ ପ୍ରଶାସନ କରିପାରିଲା ନାହିଁ। ଆମେ ୩ କିମି ଦୂରରୁ ଝରଣା ପାଣି ବିଦ୍ୟାଳୟକୁ ବୋହୁଛୁ ବୋଲି କ୍ଷୋଭର ସହ ସେ ପ୍ରକାଶ କରିଛନ୍ତି। ଏଭଳି ନାହିଁ ନାହିଁରେ ବିଦ୍ୟାଳୟ ହେଉଛି ଉକ୍ତ ବ୍ଲକ ହାତୀମୁଣ୍ଡା ପଞ୍ଚାୟତ ଗଦାପୁର କ୍ଲଷ୍ଟରର  ବୁଜୁଲି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ। ଛାତ୍ରୀଛାତ୍ରଙ୍କ ଗୁଣାତ୍ମକ ଶିକ୍ଷା ପାଇଁ ରାଜ୍ୟ ସରକାର କୋଟି କୋଟି ଟଙ୍କା ଅନୁଦାନ ଖର୍ଚ୍ଚ କରୁଥିବା ବେଳେ ବୁଜୁଲି ବିଦ୍ୟାଳୟ ଖୋଲିବା ଦିନଠାରୁ ଅବହେଳିତ ହୋଇ ରହିଛି। ଉକ୍ତ ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଯାଏ ୯୧ ଜଣ ଛାତ୍ରୀଛାତ୍ର ଶିକ୍ଷଦାନ କରୁଥିବା ବେଳେ ସେମାନଙ୍କୁ ଶିକ୍ଷାଦାନ କରିବାକୁ ମାତ୍ର ୫ ଜଣ ଶିକ୍ଷୟିତ୍ରୀ ଶିକ୍ଷକ ରହିଛନ୍ତି ହେଲେ ଆଠଟି ଶ୍ରେଣୀକୁ ମାତ୍ର ଦୁଇଟି ଶ୍ରେଣୀକକ୍ଷ ରହିଛି । ଯାହାକି ପାଠ ପଢାଇବା ପାଇଁ ହଇରାଣ ହେଉଥିବା ପ୍ରଧାନ ଶିକ୍ଷକ ଅଜିତ କୁମାର ବେହେରାଦଳାଇ କହିଛନ୍ତି। ସେହିପରି ସବୁଠାରୁ ଦୁଃଖ ଓ କଷ୍ଟର ବିଷୟ ଉକ୍ତ ବିଦ୍ୟାଳୟରେ ନଳକୂପଟିଏ ନଥିବାରୁ ଛାତ୍ରୀଛାତ୍ରମାନଙ୍କ ପାଇଁ ମଧ୍ୟାନ୍ନଭୋଜନ ରୋଷେଇ ପାଇଁ ଓ ପିଇବା ପାଣି ଲାଗି ପ୍ରାୟ ୩ କିମି ଦୂର ଏକ ଝରଣାରୁ ଅଶୁଦ୍ଧ ପାଣି  ବାଇକ୍‌ ଯୋଗେ ଶିକ୍ଷକମାନେ ଛୁଟିଦିନ ବ୍ୟତୀତ ପ୍ରତିଦିନ ବୋହି ଆଣିବାକୁ ପଡୁଛି ବୋଲି ପ୍ରଧାନଶିକ୍ଷକ ପ୍ରକାଶ କରିଛନ୍ତି। ସେହିପରି ବୁଜୁଲି ବିଦ୍ୟାଳୟରେ ପାଇଖାନାଟିଏ ନାହିଁକି ସ୍ବଚ୍ଛ ପିଇବାପାଣିର ବ୍ୟବସ୍ଥା ନାହିଁ। ସେହି ବିଦ୍ୟାଳୟରେ ମୁଖ୍ୟଫାଟକ, ପାଚେରି, ଖେଳପଡିଆ ଭଳି ସମସ୍ୟା ଛାତ୍ରୀଛାତ୍ରଙ୍କ ଶିକ୍ଷାଦାନରେ ଖରାପ ପ୍ରଭାବ ପକାଉଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଏ ନେଇ ଦାରିଙ୍ଗବାଡି ବିଇଓ ରସାନନ୍ଦ କର କହିଛନ୍ତି ଯେ, ସେଠାରେ ନଳକୂପ ନଥିବାରୁ ତା’ ନିକଟରେ ଥିବା ବିଦ୍ୟାଳୟର ନଳକୂପରୁ ପାଣି ଅଣାଯାଉଥିଲା। ଏବେ ସେଠାକାର ସ୍ଥିତି କ’ଣ ଅଛି ସେ ତଦନ୍ତ ପରେ ଜାଣିପାରିବେ ବୋଲି କହିଛନ୍ତି ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share