Categories: ଜାତୀୟ

୩ ଲଶ୍କର-ଇ-ତୋଏବା ଆତଙ୍କବାଦୀ ଗିରଫ…

ଶ୍ରୀନଗର,୨୬।୮ : ଉତ୍ତର କଶ୍ମୀରର କୁପୱାରା ଜିଲାରେ ସେନା ତଥା ଜମ୍ମୁ-କଶ୍ମୀର ପୋଲିସର ମିଳିତ ବାହିନୀଙ୍କୁ ଆତଙ୍କବାଦ ବିରୋଧୀ କର୍ଯ୍ୟକଳାପରେ ବଡ଼ ସଫଳତା ମିଳିଛି। ମିଳିତ ସୁରକ୍ଷାର୍କମୀ ୩ଜଣ ଆତଙ୍କବାଦୀଙ୍କୁ ଗିରଫ କରିଛନ୍ତି। ସେମାନଙ୍କଠାରୁ ୫ ଗ୍ରେନେଡ ମଧ୍ୟ ଜବତ କରାଯାଇଛି। ଆତଙ୍କବାଦୀମାନେ ଦୁଇଟି ଭିନ୍ନ ଆତଙ୍କବାଦୀ କାର୍ଯ୍ୟକଳାପରେ ସମ୍ପୃକ୍ତ ଥିବା ପ୍ରମାଣ ରହିଛି। ଜମ୍ମୁ-କଶ୍ମୀର ପୋଲିସ କହିଛି ନିର୍ଭରଯୋଗ୍ୟ ଗୁପ୍ତ ସୂଚନା ଆଧାରରେ ଏହି ସର୍ଚ୍ଚ ଅପରେଶନ କରାଯାଇଥିଲା।

ବେଆଇନ କାର୍ଯ୍ୟକଳାପ (ପ୍ରତିରୋଧ) ଆଇନର ସମ୍ପୃକ୍ତ ବିଭାଗ ଅଧୀନରେ ପୋଲିସ ଏକ ମାମଲା ରୁଜୁ କରିଛି। ପୋଲିସର ମୁଖପାତ୍ର ଏକ ବିବୃତ୍ତିରେ କହିଛନ୍ତି ସେନାର ୨୮ ରାଷ୍ଟ୍ରୀୟ ରାଇଫଲ୍ସ ସହିତ ପୋଲିସକୁ ଏହି ସଫଳତା ମିଳିଛି। ଗିରଫ ଆତଙ୍କବାଦୀମାନେ ଲଶ୍କର-ଇ-ତୋଏବା କମାଣ୍ଡର ଗୁଲାମ ରସୁଲ ଓରଫ ରାଫିଆ ରସୁଲଙ୍କ ନିର୍ଦ୍ଦେଶରେ କାର୍ଯ୍ୟ କରୁଥିଲେ।

ଶତମୁକ୍କମ ଆଡକୁ ଯାଉଥିବାବେଳେ ପୋଲିସ ତାଙ୍କୁ ଧରିଥିଲା। ଗିରଫ ଆତଙ୍କବାଦୀଙ୍କ ନାମ ଜୁବୈର ଅହମ୍ମଦ ଶାହା ପୀରଜାଦା ଏବଂ ପୀରଜାଦା ମୁବାଶିର ୟୁସୁଫ, ଉଭୟ ଶତମୁକ୍କମର ବାସିନ୍ଦା।

ଆତଙ୍କବାଦୀଙ୍କ ନିକଟରୁ ତିନୋଟି ମୋବାଇଲ ଫୋନ ଜବତ କରାଯାଇଛି। ଉଭୟ ଆତଙ୍କବାଦୀ ସେମାନଙ୍କ ଟାର୍ଗେଟର ଫଟୋ ମଧ୍ୟ ସେମାନଙ୍କ ହ୍ୟାଣ୍ଡେଲଙ୍କ ନିକଟକୁ ପଠାଇଥିଲେ।

ଏହା ବ୍ୟତୀତ କୁପୱାରା ପୋଲିସ ୪୭ ଆରଆର (ବିହାର) ସହିତ ମିଳିତ ଭାବେ ଗାମୁଲ୍ଲା ଶାଲପୋରା ଅଞ୍ଚଳରେ ମିଳିତ ଚେକ ପୋଷ୍ଟ ଗଠନ କରି ଗୁପ୍ତ ସୂଚନା ଆଧାରରେ ସର୍ଚ୍ଚ ଅପରେଶନ କରିଥିଲେ। ଏହି ସମୟରେ ଏକ ଗାଡିରୁ ହ୍ୟାଣ୍ଡ ଗ୍ରେନେଡ ଜବତ କରାଯାଇଥିଲା। କାରରେ ବସିଥିବା ବ୍ୟକ୍ତିଙ୍କ ନାମ ଜାହୋର ଅହମ୍ମଦ ଖାନ। ପୋଲିସ ତାଙ୍କୁ ଗିରଫ କରିଛି।

 

Share